ନୂଆଦିଲ୍ଲୀ: ଭାରତରେ ନାଗରିକ ବିମାନ ଚଳାଚଳ ବ୍ୟବସ୍ଥାକୁ ଅସ୍ଥିର କରିଦେବା ପାଇଁ ଅପରାଧୀ ଗୋଷ୍ଠୀ ସକ୍ରିୟ ଅଛନ୍ତି। ଗତ କିଛି ଦିନ ଧରି ଭାରତୀୟ ଏୟାରଲାଇନ୍ସର ବିଭିନ୍ନ ବିମାନକୁ ବୋମା ଧମକ ଜାରି ରହିଥିବା ବେଳେ ଆଜି ମଧ୍ୟ ଇଣ୍ଡିଗୋ, ଏୟାର ଇଣ୍ଡିଆ, ଭିସ୍ତାରା ଓ ଆକାଶ ଏୟାରର ୮୫ଟି ବିମାନକୁ ଧମକ ମିଳିଛି। ଏହା ସହିତ ଗତ ୧୦ ଦିନ ଧରି ୨୫୦ରୁ ଅଧିକ ବିମାନ ଏହି ଧମକ ଯୋଗୁଁ ପ୍ରଭାବିତ ହୋଇଛି।
ଯାଞ୍ଚ ପରେ ସମସ୍ତ ଧମକ ମିଥ୍ୟା ପ୍ରମାଣିତ ହୋଇଥିଲେ ମଧ୍ୟ ସୁରକ୍ଷା ପ୍ରୋଟକଲଜନିତ ସମସ୍ୟା, ଆର୍ଥିକ କ୍ଷତି ଏବଂ ବିମାନ ଚଳାଚଳରେ ଅନିଶ୍ଚିତତା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଆଜି ୨୫ଟି ଆକାଶ ଏୟାର୍ ବିମାନକୁ ଏକ୍ସ ଆକାଉଣ୍ଟ୍ରୁ ବୋମା ଧମକ ମିଳିଥିବା ବେଳେ ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରାର ୨୦ଟି ଲେଖାଏଁ ବିମାନକୁ ବୋମା ଧମକ ମିଳିଛି। ଅଧିକାଂଶ ଧମକ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଆସିଥିବା ବେଳେ ଅପରାଧୀମାନେ ଡାର୍କ ୱେବ୍ ବ୍ୟବହାର କରିଥିବା ଜଣାପଡ଼ିଛି। ଏହି ଧମକ ମିଥ୍ୟା ସାବ୍ୟସ୍ତ ହୋଇଥିଲେ ମଧ୍ୟ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅର୍ଦ୍ଧସାମରିକ ବାହିନୀ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପାଇଁ ନିରାପତ୍ତା ସୁନିଶ୍ଚିତ କରିବା ଏବେ ବଡ଼ ଚ୍ୟାଲେଂଜ ହୋଇଛି। ସରକାର ମିଥ୍ୟା କଲ୍, ଇମେଲ୍ ଏବଂ ମିଥ୍ୟା ସୋସିଆଲ ମିଡିଆ ପୋଷ୍ଟ୍ରେ ସମ୍ପୃକ୍ତ ଥିବା ଲୋକଙ୍କୁ ନୋ ଫ୍ଲାଏ ଲିଷ୍ଟରେ ରଖିବାକୁ ଯୋଜନା କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି ଯେ ଏୟାରଲାଇନ୍ସକୁ ବୋମା ଧମକ ଦେବା ଏକ ଦଣ୍ଡନୀୟ ଅପରାଧରେ ପରିଣତ ହେବ ।
ଦେଶର ବିଭିନ୍ନ ସ୍ଥାନରୁ ଘରୋଇ ଓ ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଚଳାଚଳ କରୁଥିବା ବିମାନଗୁଡ଼ିକ ପ୍ରଭାବିତ ହୋଇଛି। ବୋମା ଧମକ ମାମଲାରେ ଦିଲ୍ଲୀ ପୁଲିସ ୮ଟି ମାମଲା ରୁଜୁ କରିଛି ଏବଂ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ ଏକ୍ସରେ ବେନାମୀ ପୋଷ୍ଟ ମାଧ୍ୟମରେ ଧମକପୂର୍ଣ୍ଣ ବାର୍ତ୍ତା ଆସୁଛି। ଗତକାଲି କେନ୍ଦ୍ର ସରକାର ସୋସିଆଲ ମିଡିଆ କମ୍ପାନି ଏକ୍ସକୁ ଏହି ପରିସ୍ଥିତିର ମୁକାବିଲା ପାଇଁ ସନ୍ଦେହଜନକ ଆକାଉଣ୍ଟ୍କୁ ତୁରନ୍ତ ବନ୍ଦ କରିବା ପାଇଁ କହିଛନ୍ତି। ଏ କ୍ଷେତ୍ରରେ ଅବହେଳା ଅପରାଧକୁ ପ୍ରୋତ୍ସାହିତ କରିବା ଭଳି ବୋଲି ସରକାର ଏକ୍ସକୁ କହିଥିଲେ।
ତେବେ ନାଗରିକ ବିମାନ ଚଳାଚଳ ଇତିହାସରେ ଏଭଳି ଧମକର ଲହର ପ୍ରଥମ ବୋଲି କୁହାଯାଉଥିବା ବେଳେ ଏହା ପଛରେ କୌଣସି ବଡ଼ ଷଡ଼୍ଯନ୍ତ୍ର ରହିଥିବା ଅନୁମାନ କରାଯାଉଛି। ସୋସିଆଲ ମିଡିଆ ଏବଂ ସାଇବର ଚ୍ୟାନେଲଗୁଡିକର ସମ୍ପୃକ୍ତି ନେଇ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ଅନେକ ଆଇପି ଠିକଣା ଭିପିଏନ୍ ମାଧ୍ୟମରେ ତୁହାକୁ ତୁହା ପରିବର୍ତ୍ତନ ହେଉଥିବାରୁ ଏହାର ତଦନ୍ତ ପ୍ରକ୍ରିୟା ମଧ୍ୟ ଖୁବ୍ ଜଟିଳ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/25/v42X5P0yZIJzDelZ7gdl.jpg)