ଅହମଦାବାଦର ବିଦ୍ୟାଳୟଗୁଡ଼ିକୁ ବୋମା ଧମକ: ରୁଷ୍ ସର୍ଭରରୁ ଅାସିଛି ଧମକ

ଯାଞ୍ଚ କରୁଛି ଗୁଜରାଟ ପୁଲିସ

ଅହମଦାବାଦ: ଦିଲ୍ଲୀର ସ୍କୁଲଗୁଡ଼ିକୁ ବୋମା ବିସ୍ଫୋରଣରେ ଉଡ଼ାଇଦେବା ନିମନ୍ତେ ଧମକପୂର୍ଣ୍ଣ ଇମେଲ୍‌ର ତଦନ୍ତ ଶେଷ ହୋଇନାହିଁ କି ରହସ୍ୟ ଉନ୍ମୋଚିତ ହୋଇନାହିଁ। ଏହି ସମୟରେ ଅହମଦାବାଦର ଅନେକ ସ୍କୁଲକୁ ବିସ୍ଫୋରଣ ଦ୍ବାରା ଉଡ଼ାଇଦେବାକୁ ଅନୁରୂପ ଭାବେ ଇମେଲ୍‌ ଧମକ ମିଳିଛି। ଧମକପୂର୍ଣ୍ଣ ଇମେଲ୍‌ ଆରବୀୟ ଭାଷାରେ ଲେଖାଯାଇଛି। ଆଜି ସକାଳେ ଧମକପୂର୍ଣ୍ଣ ଇମେଲ୍‌ ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ରାଇମ୍‌ ବ୍ରାଞ୍ଚ, ଏସ୍‌ଓଜି ଟିମ୍‌ ପହଞ୍ଚିଥିଲେ। ସ୍କୁଲ ପିଲାଙ୍କୁ ସୁରକ୍ଷିତ ବାହାରକୁ ଅଣାଯିବା ସହ ସମସ୍ତ ପରିସରର ଟିକିନିଖି ଯାଞ୍ଚ କରିଥିଲେ। ଆଜି ଅହମଦାବାଦ ସିଟି ପୁଲିସ କମିସନର ଜିଏସ୍‌ ମାଲିକ ଏନେଇ ସୂଚନା ଦେଇ କହିଛନ୍ତି ଯେ ଗୁରୁକୁଳ ଆନନ୍ଦନିକେତନର ଏସିଆ ସ୍କୁଲ, ଡିପିଏସ୍‌ ବୋପାଲ୍‌, ‌ମେମ୍‌ନଗରର ଏଚ୍‌ବିକେ ସ୍କୁଲ, ଥାଲେଜ୍‌ର ଜେବର ସ୍କୁଲ, ଏସ୍‌ଜି ରୋଡ୍‌ର କସ୍‌ମ କ୍ୟାସଲ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ, ଚନ୍ଦଖେଡ଼ା ଓ ସାହିବୌଗ୍‌ କ୍ୟାଣ୍ଟନ୍‌ମେଣ୍ଟର ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ୍‌ ମିଳିଛି।

ଏହି ‌ଇମେଲ୍‌ ଗୁଡ଼ିକ ରୁଷ୍‌ ସର୍ଭର୍‌ରୁ ପଠାଯାଇଥିବା ବେଳେ ଆରବୀୟ ଭାଷାରେ ଧମକ ଦିଆଯାଇଛି। ଏହି ଇମେଲ୍‌ଗୁଡ଼ିକର ଉତ୍ସ ଆଦି ସମ୍ପର୍କରେ ଜାଣିବା ପାଇଁ ଯାଞ୍ଚ କରାଯାଉଛି। ଯେଉଁମାନେ ଏହି ଇମେଲ୍‌ ପଠାଇଛନ୍ତି ସେମାନେ ନିଜକୁ ତୌହିଦ୍‌ ଯୋଦ୍ଧା ବୋଲି ସୂଚିତ କରିଛନ୍ତି ଓ ‘ଇତ୍‌ସହାଦି’ ଦ୍ବାରା ସମଗ୍ର ସହରରେ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗୁଜରାଟରେ ସରିଆତ୍‌ ଆଇନ ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଯେଉଁମାନେ ଏହାକୁ ବିରୋଧ କରିବେ ସେମାନଙ୍କ ବିରୋଧରେ ହିଂସାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇମେଲ୍‌ରେ କୁହାଯାଇଛି। ଆସନ୍ତାକାଲି ଗୁଜରାଟର ସମସ୍ତ ଲୋକସଭା ଅାସନରେ ମତଦାନ ହେବାକୁ ଯାଉଥିବା ବେଳେ ଏଭଳି ଇମେଲ୍ ଆସିଛି। ଯେଉଁମାନଙ୍କ ନାମରେ ଏହି ମେଲ୍ ଆସିଛି ବୋଲି କୁହାଯାଉଛି, ତାହାର ସତ୍ୟାସତ୍ୟ ଯାଞ୍ଚ କରାଯାଉଥିବା ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର