ଭ୍ରୁଣର ହୃତ୍‌ପିଣ୍ଡରେ ସମସ୍ୟା ଥିବା ହେତୁ ୨୪ ସପ୍ତାହର ଗର୍ଭବତୀ ଥିବା ସରୋଗେଟ ମାଆ ଙ୍କୁ ଗର୍ଭପାତ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଗର୍ଭରେ ଥିବା ଭ୍ରୁଣର ବିଭିନ୍ନ ହୃଦ୍‌ ବେମାରୀ ରହିଛି ବୋଲି ଜାଣିବା ପରେ ଭବିଷ୍ୟତକୁ ଲକ୍ଷ୍ୟ କରି ବମ୍ବେ ହାଇକୋର୍ଟ ୨୪ ସପ୍ତାହ ଗର୍ଭବତୀ ଥିବା ଜଣେ ସରୋଗେଟ୍‌ ମାଆଙ୍କୁ ଗର୍ଭପାତ କରିବାର ଅନୁମତି ପ୍ରଦାନ କରିଛନ୍ତି। ୨୪ ସପ୍ତାହ ଗର୍ଭବତୀ ଥିବା ପୁଣେର ମହିଳା କୋର୍ଟରେ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଭାରତୀ ଡଙ୍ଗରେ ଏକ ଅବକାଶ କାଳୀନ ଖଣ୍ଡପୀଠରେ ମହିଳାଙ୍କୁ ଗର୍ଭପାତର ଅନୁମତି ଦେଇଛନ୍ତି।

ଦାୟର ହୋଇଥିବା ଯାଚିକା ମୁତାବକ, ପୁଣେର ଏକ ଦମ୍ପତିଙ୍କ ସହ ପୀଡ଼ିତା ମହିଳାଙ୍କର ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ, ଆସିଷ୍ଟେଡ୍‌  ରିପ୍ରଡକ୍ଟିଭ୍‌ ଟେକ୍‌ନୋଲୋଜି ଜରିଆରେ ଦମ୍ପତିଙ୍କ ସନ୍ତାନକୁ ମହିଳା ନିଜ ଗର୍ଭରେ ଧାରଣ କରିଥିଲେ।

କିଛି ଦିନ ପର୍ଯ୍ୟନ୍ତ ମହିଳା ଜଣକ ନିଜ ପେଟରେ ଦମ୍ପତିଙ୍କ ସନ୍ତାନକୁ ଧାରଣ କରିଥିଲେ। ମାତ୍ର ରୁଟିନ୍‌ ଚେକ୍‌ ସମୟରେ ଜାଣିବାକୁ ମିଳିଥିଲା ଯେ ମହିଳାଙ୍କ ପେଟରେ ଥିବା ଭ୍ରୁଣର ଅନେକ ହୃଦ୍‌ ସମସ୍ୟା ରହିଛି।

ଫଳରେ ପିଲାର ବାପାମାଆଙ୍କ ସହ ନିଜେ ସରୋଗେଟ୍‌ ମାଆ ୨୦ ସପ୍ତାହ ବିତି ଯାଇଥିଲେ ବି ବମ୍ବେ ହାଇକୋର୍ଟରେ ଗର୍ଭପାତ ପାଇଁ ଅନୁମତି ଚାହିଁଥିଲେ। ପିଲାର ଭବିଷ୍ୟତ ଦୃଷ୍ଟିରୁ ଜଷ୍ଟିସ୍‌ ଭାରତୀ ଡଙ୍ଗରେ ବାଧ୍ୟ ହୋଇ ଏକ ଅବକାଶ କାଳୀନ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦ ସପ୍ତାହ ପରେ ଗର୍ଭପାତ ଆଇନ୍‌ ଅନୁସାରେ ଅପରାଧ ଅଟେ।

 

ସମ୍ବନ୍ଧିତ ଖବର