ଅନୀଲ ଦେଶମୁଖଙ୍କ ‘ଇଡି’ ହାଜତ ରହଣି ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିଚାର ବିଭାଗୀୟ ହାଜତ ରହଣି ପାଇଁ ଶନିବାର ଦିନ ସ୍ବତନ୍ତ୍ର ଅଦାଲତ ଦେଇଥିବା ଆଦେଶକୁ ରବିବାର ଦିନ ବମ୍ବେ ହାଇକୋର୍ଟ ଖାରଜ କରିବା ସହ ତାଙ୍କୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତକୁ ପଠାଇ ଦେଇଛନ୍ତି।

ବିଚାରପତି ମାଧବ ଜାମଦରଙ୍କ ଅବକାଶ ଖଣ୍ଡପୀଠ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଫାଇଲ୍‌ କରିଥିବା ଆବେଦନ ଉପରେ ଶୁଣାଣି କରି ଉପରୋକ୍ତ ଆଦେଶ ଦେଇଛନ୍ତି। ଦେଶମୁଖଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ନେବା ପାଇଁ ନଭେମ୍ବର ୬ ତାରିଖ ଦିନ ସ୍ବତନ୍ତ୍ର ଅଦାଲତ ଦେଇଥିବା ଆଦେଶକୁ ଚାଲେଞ୍ଜ୍‌ କରି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲା।

ଦେଶମୁଖଙ୍କ ପରାମର୍ଶଦାତା ବିକ୍ରମ ଚୌଧୁରୀ ଏବଂ ଆଡ୍‌ଭୋକେଟ୍‌ ଅନିକେତ ନିକମ ଅଦାଲତଙ୍କୁ କହିଥିଲେ ଯେ, ଦେଶମୁଖ ‘ଇଡି’ ଜେରା ପାଇଁ ସ୍ବେଚ୍ଛାକୃତ ଭାବେ ସମ୍ମତି ଦେଇଛନ୍ତି।

Image Courtesy of Tribune India

ଏହାପରେ, ଅଦାଲତ ଦେଶମୁଖଙ୍କୁ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରିମାଣ୍ଡ୍‌ରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତରେ ରହିବାକୁ ଆଦେଶ ଦେଇଥିଲେ। କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଦେଶମୁଖଙ୍କୁ ୧୨ ଘଣ୍ଟା ଜେରା କରିବା ପରେ ନଭେମ୍ବର ୧ ତାରିଖ ଦିନ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଗିରଫ କରିଥିଲା।

ପୂର୍ବରୁ ନଭେମ୍ବର ୨ ତାରିଖ ଦିନ ତାଙ୍କୁ ସ୍ବତନ୍ତ୍ର ଅବକାଶ ଅଦାଲତରେ ହାଜର କରାଯିବା ପରେ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ବିଚାର ବିଭାଗୀୟ ହାଜତରେ ରଖାଯିବ ବୋଲି ଆଦେଶ ମିଳିଥିଲା।

ପୁଣି, ୬ ତାରିଖ ଅର୍ଥାତ୍ ଶନିବାର ଦିନ ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବା ପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ହାଜତ ରହଣି ବୃଦ୍ଧି ପାଇଁ ଆବେଦନ କରିଥିଲା। କିନ୍ତୁ, ଅଦାଲତ ତାହା ଅଗ୍ରାହ୍ୟ କରି ବିଚାର ବିଭାଗୀୟ ହାଜତକୁ ପଠାଇବାକୁ ଆଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର