ମୁମ୍ବାଇ: ମୁମ୍ବାଇ ଉପକୂଳରେ ଏକ କ୍ରୁଜ୍‌ ଜାହାଜରେ ନିଷିଦ୍ଧ ଡ୍ରଗ୍‌ସ ଜବତ ମାମଲାରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଦ୍ୱାରା ଦାଖଲ ହୋଇଥିବା ଜାମିନ ଆବେଦନର ଶୁଣାଣି ଅକ୍ଟୋବର ୨୬ରେ ହେବ ବୋଲି ବମ୍ବେ ହାଇକୋର୍ଟ ଆଜି (ଗୁରୁବାର) କହିଛନ୍ତି।

Advertisment

ଆରୟନ ଖାନଙ୍କ ଓକିଲ ସତୀଶ ମାନେସିନ୍ଦେ ଶୁକ୍ରବାର ଦିନ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଜଷ୍ଟିସ ଏନ ଡବ୍ଲ୍ୟୁ ସାମ୍ବରେଙ୍କ ଜଣିକିଆ ବେଞ୍ଚ ସମ୍ମୁଖରେ ଏହି ଆବେଦନ ବିଷୟରେ ଉଲ୍ଲେଖ କରିଛନ୍ତି। ତେବେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ହାଇକୋର୍ଟରେ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଏଥିପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସମୟ ମାଗିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜଷ୍ଟିସ ସାମ୍ବରେ ଏହି ମାମଲାର ଶୁଣାଣି ପାଇଁ ଅକ୍ଟୋବର ୨୬କୁ ଦିନ ଧାର୍ଯ୍ୟ କରିଥିଲେ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ ଅଦାଲତ ଆଜି ଅପରାହ୍ନରେ ଆରୟନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଆରୟନ ଖାନଙ୍କ ଓକିଲ ସତୀଶ ମାନେସିନ୍ଦେ ଆଜି ଆରୟନଙ୍କ ଜାମିନ ଆବେଦନ ମାମଲାର ଜରୁରୀ ଶୁଣାଣି ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆରୟନଙ୍କ ଜାମିନ ପ୍ରତ୍ୟାଖାନ କରି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ ଅଦାଲତ ବିଚାରପତି କହିଥିଲେ ଯେ ଆରୟନ ଖାନ ନିୟମିତ ଭାବରେ ଅବୈଧ ଡ୍ରଗ୍‌ କାର୍ଯ୍ୟକଳାପରେ ଜଡିତ ଥିଲେ ଏବଂ ଡ୍ରଗ୍‌ ପେଡଲର୍‌ ଏବଂ ଯୋଗାଣକାରୀଙ୍କ ସହ ତାଙ୍କର ଯୋଗସୂତ୍ର ରହିଥିଲା। ଆରୟନଙ୍କ ସହ ତାଙ୍କର ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ଫ୍ୟାଶନ ମଡେଲ ମୁନମୁନ ଧମେଚାଙ୍କ ଜାମିନ ଆବେଦନକୁ ମଧ୍ୟ ଅଦାଲତ ଆଜି ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଏହି ୩ ଜଣ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ଆରୟନ ଖାନ ଏବଂ ମର୍ଚ୍ଚାଣ୍ଟ ଆର୍ଥର ରୋଡ ଜେଲରେ ଥିବାବେଳେ ଧାମେଚା ବାଇକୁଲା ମହିଳା କାରାଗାରରେ ବନ୍ଦୀ ଅଛନ୍ତି।