୨୬ ସପ୍ତାହର ଗର୍ଭଧାରଣ ପରେ ୧୮ ବର୍ଷୀୟା ଅବିବାହିତ ଯୁବତୀଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ଜଣେ ୧୮ ବର୍ଷ ବୟସ୍କା ଅବିବାହିତା ଯୁବତୀଙ୍କୁ ତାଙ୍କର ୨୬ ସପ୍ତାହର ଗର୍ଭକୁ ମେଡିକାଲରେ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି। ଗର୍ଭସ୍ଥ ଶିଶୁଟିକୁ ଯଦିଓ ସୁସ୍ଥ ବୋଲି ବିବେଚନା କରାଯାଉଥିଲା ଏବଂ ଏହି ଅବସ୍ଥା ଯୁବତୀଙ୍କ ଶାରୀରିକ କିମ୍ବା ମାନସିକ ସ୍ୱାସ୍ଥ୍ୟ ପାଇଁ କୌଣସି ବିପଦ ସୃଷ୍ଟି କରୁ ନଥିଲା ତଥାପି ବମ୍ବେ ହାଇକୋର୍ଟର ଏକ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି।

NDTV

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଉଜଲ ଭୁୟାନ ଏବଂ ମାଧବ ଜାମଦାରଙ୍କ ଏକ ଖଣ୍ଡପୀଠ ଆବେଦନକାରୀଙ୍କ ଗର୍ଭପାତ କରାଇବାକୁ ମୁମ୍ବାଇର ଜେଜେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶକୁ ଅନୁସରଣ କରି ଜେଜେ ହସ୍ପିଟାଲର ଡାକ୍ତରଙ୍କ ଏକ ପ୍ୟାନେଲ ଗର୍ଭପାତ ପାଇଁ ଅନୁମତି ମାଗିଥିବା ମହିଳାଙ୍କୁ ଯାଞ୍ଚ କରି କହିଥିଲେ ଯେ ସେ ଅବିବାହିତ ଏବଂ ଗର୍ଭସ୍ଥ ଶିଶୁକୁ ପୂର୍ଣ୍ଣକାଳୀନ ଅବସ୍ଥାରେ ରଖିବା ସ୍ଥିତିରେ ନାହାଁନ୍ତି। ତେବେ, ଗର୍ଭସ୍ଥ ଶିଶୁର କୌଣସି ଡାକ୍ତରୀ ଅସ୍ୱାଭାବିକତା ନାହିଁ ବୋଲି ଡାକ୍ତରମାନେ କୋର୍ଟଙ୍କୁ ସୂଚନା ଦେଇଥିଲେ। ସଂପ୍ରତି ୨୦ ସପ୍ତାହରୁ ଅଧିକ ଗର୍ଭଧାରଣକୁ ଗର୍ଭପାତ କରିବାକୁ ଅନୁମତି ଦିଆଯାଉ ନାହିଁ । କାରଣ ଏଥିରେ ଗର୍ଭସ୍ଥ ଶିଶୁ ଏବଂ ମା’ର ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଏ। ସେଥିପାଇଁ ୨୦ ସପ୍ତାହରୁ ଅଧିକ ସମୟର ଗର୍ଭଧାରଣ ହୋଇଥିଲେ ସେ କ୍ଷେତ୍ରରେ ଗର୍ଭପାତ ପାଇଁ ଡାକ୍ତରୀ ପରାମର୍ଶ ଓ ଅନୁମତି ନେବାକୁ ପଡ଼ିଥାଏ।

ଏହି ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯୁବତୀଙ୍କ ବୟସ ମାତ୍ର ୧୮ ବର୍ଷ ଏବଂ ତାଙ୍କର ଅନ୍ୟ ତିନି ଅବିବାହିତ ଭାଇଭଉଣୀ ଅଛନ୍ତି। ତାଙ୍କ ମା ସେମାନଙ୍କ ଘର ନିକଟରେ ପନିପରିବା ବିକ୍ରି କରନ୍ତି ଏବଂ ତାଙ୍କ ପିତା ଜଣେ ଅଟୋରିକ୍ସା ଡ୍ରାଇଭର। ଖଣ୍ଡପୀଠ କହିଛନ୍ତି ଯେ ତାଙ୍କର ସାମାଜିକ, ଅଥନୈତିକ ଅବସ୍ଥା ଏବଂ ଭବିଷ୍ୟତରେ ଗର୍ଭଧାରଣ ତାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଉପରୋକ୍ତ ବର୍ଣ୍ଣିତ ତଥ୍ୟ ଏବଂ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନକାରୀ, କୋମଳ ବୟସର ହୋଇଥିବାରୁ ତାଙ୍କୁ ଏକ ଅବାଞ୍ଛିତ ସନ୍ତାନ ପାଇବାକୁ ବାଧ୍ୟ କରିବା କେବଳ ଆବେଦନକାରୀଙ୍କ ପାଇଁ ନୁହେଁ ବରଂ ସମଗ୍ର ପରିବାର ପାଇଁ ବିପର୍ଯ୍ୟସ୍ତ ପରିଣାମ ଆଣିପାରେ ବୋଲି ମତଦେବା ସହ ସଂପୃକ୍ତା ଯୁବତୀଙ୍କ ଗର୍ଭପାତ ଅଭିଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର