ଅଯଥା କୋର୍ଟର ସମୟ ନଷ୍ଟ କରିଥିବାରୁ ଲା ଫିନ୍‌କୁ ୨୫ ଲକ୍ଷ ଟଙ୍କା ଜରିମାନା କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଭିତ୍ତିହୀନ ଓ ତ୍ରୁଟିପୂର୍ଣ୍ଣ ଅଭିଯୋଗ ଦାଏର କରି ମାନ୍ୟବର କୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ବମ୍ବେ ହାଇକୋର୍ଟ ଲା ଫିନ୍ ଫାଇନାନ୍ସିଆଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌ କମ୍ପାନି ଉପରେ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଲା ଫିନ୍ ଦ୍ବାରା ଆଗତ ଅଭିଯୋଗର ବିଚାର କରି ଜଷ୍ଟିସ୍ ଗୌତମ ପଟେଲ କହିଲେ ଯେ, ଏହା ଏକ ମନ୍ଦ ଉଦ୍ଦେଶ୍ୟପ୍ରଣୋଦିତ ଓ ଭିତ୍ତିହୀନ ଅଭିଯୋଗ ବୋଲି ସ୍ପଷ୍ଟ ଜଣାପଡ଼ିଯାଉଛି। ଏପରି ମାମଲା ଦାଏର କରି ସେ କୋର୍ଟର ତଥା ପ୍ରତିବାଦୀଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଛନ୍ତି। ଏପରି ଅଭିଯୋଗକାରୀମାନେ ବୁଝିବା ଦରକାର ଯେ କୋର୍ଟ ଏକ ଖେଳପଡ଼ିଆ ନୁହେଁ। ଜରିମାନା ରାଶି ଦୁଇ ସପ୍ତାହ ଭିତରେ ପ୍ରତିବାଦୀ ମଲ୍‌ଟି କମଡିଟି ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ (ଏମ୍‌ସିଇଆଇ)କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବିଫଳ ହେଲେ ବାର୍ଷିକ ୯ ପ୍ରତିଶତ ହାରରେ ସୁଧ ଲାଗୁ ହେବ।

ସୂଚନାଯୋଗ୍ୟ ଯେ, ଲା ଫିନ୍ ନଭେମ୍ବର ୫, ୨୦୧୫ରେ ଏମ୍‌ସିଇଆଇ ବିରୋଧରେ ଏକ ନିୟମିତ ମାମଲା ଦାଏର କରିଥିଲା। ତେବେ ହାଇକୋର୍ଟ ରେଜିଷ୍ଟ୍ରି ଏହାକୁ ଏହି କୋର୍ଟର ବାଣିଜ୍ୟିକ ଡିଭିଜନକୁ ସ୍ଥାନାନ୍ତର କରିଥିଲେ। ଅକ୍ଟୋବର ୧୮, ୨୦୧୬ରେ ଏହା ଏକ କମର୍ସିଆଲ ମାମଲା ହିସାବରେ ବର୍ଗୀକୃତ ହେଲା। ବାଣିଜ୍ୟିକ କୋର୍ଟ ଆକ୍ଟ ଅନୁସାରେ ପ୍ରତିବାଦୀ ୧୨୦ ଦିନ ଭିତରେ ନିଜର ଉତ୍ତର ଲିଖିତ ଆକାରରେ ଦାଖଲ କରିବା କଥା। ଏମ୍‌ସିଇଆଇ ଏହା ବାଣିଜ୍ୟିକ ମାମଲା ଭାବେ ବର୍ଗୀକୃତ ହେବା ଦିନଠାରୁ ୧୨୦ ଦିନ ଭିତରେ ଉତ୍ତର ଦାଖଲ କଲେ। ମାତ୍ର ଲା ଫିନ୍‌ଙ୍କ ଓକିଲ ଏକ ଅଭିଯୋଗ ଦାଏର କଲେ ଯେ, ଯେହେତୁ ଏହା ଏକ ବାଣିଜ୍ୟିକ ମାମଲା, ଏହାର ନିୟମ ଅନୁସାରେ ପ୍ରଥମ ଅଭିଯୋଗ ଦାଏର ଦିନଠାରୁ ଅର୍ଥାତ୍ ନଭେମ୍ବର ୫, ୨୦୧୫ରୁ ୧୨୦ ଦିନ‌ ଭିତରେ ପ୍ରତିବାଦୀ ତାଙ୍କର ଲିଖିତ ଉତ୍ତର ଦାଖଲ କରିବା କଥା। ହାଇକୋର୍ଟ ଏହି ଯୁକ୍ତିକୁ ଗ୍ରହଣ କଲେ ନାହିଁ ଏବଂ ଏହା ମୂଳତଃ ତ୍ରୁଟିପୂର୍ଣ୍ଣ ଓ ଅନୁଚିତ ବୋଲି କହିଲେ।

ଜଷ୍ଟିସ୍ ପଟେଲ କହିଲେ ଯେ, ଲା ଫିନ୍ ନିୟମିତ ମାମଲା ଭାବେ ଅଭିଯୋଗ ଦାଏର କରିବା ହେଉଛି ତା’ର ପ୍ରଥମ ଭୁଲ୍। ରେଜିଷ୍ଟ୍ରି ଏହା ଉପରେ ପ୍ରତିବାଦ ଉଠାଇ ଏହାକୁ ସଂଶୋଧନ କରିଥିଲେ। ତେଣୁ ପ୍ରାରମ୍ଭିକ ବିଳମ୍ବ ବାଦୀ (ଲା ଫିନ୍) ଯୋଗୁ ହୋଇଛି। ବାଦୀ ନିଜେ ଭୁଲ୍ କରି ସେହି ଭୁଲ୍‌ର ଫାଇଦା ନେଇପାରିବ ନାହିଁ। କୌଣସି କୋର୍ଟ ଏପରି ଅନ୍ୟାୟ ହେବାକୁ ଦେବେ ନାହିଁ। କାରଣ ଯେଉଁ ପକ୍ଷ ନ୍ୟାୟ ଦାବି କରୁଛି ସେ ନିଜେ ଅନ୍ୟାୟ କରୁଛି ଏବଂ ସେହି ଅନ୍ୟାୟର ଫାଇଦା ପରବର୍ତ୍ତୀ ସମୟରେ ନେବାକୁ ଚାହୁଁଛି। ତେଣୁ ହାଇକୋର୍ଟ ଲା ଫିନ୍‌ର ଅଭିଯୋଗକୁ ଖାରଜ କରିଦେବା ସହ ମାନ୍ୟବର କୋର୍ଟଙ୍କ ମୂଲ୍ୟବାନ୍ ସମୟ ନଷ୍ଟ କରିଥିବାରୁ ସେଥିପାଇଁ ୨୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।

ସମ୍ବନ୍ଧିତ ଖବର