ନିର୍ଯାତନା ମାମଲା ଆଗତ କରି ଫସାଇ ଦେବା ଧମକ ମହଙ୍ଗା ପଡ଼ିଲା; ମହିଳା ଶିଳ୍ପଦ୍ୟୋଗୀଙ୍କୁ ୨୫ ଲକ୍ଷର ଅର୍ଥ ଦଣ୍ଡରେ ଦଣ୍ଡିତ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଜନୈକ ରିସିଭରଙ୍କୁ ନିର୍ଯାତନା ମାମଲା ଆଗତ କରି ଫସାଇ ଦେବାକୁ ଧମକ ଦେବା ଘଟଣା ଜନୈକା ମହିଳା ଶିଳ୍ପଦ୍ୟୋଗୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମହିଳା ଶିଳ୍ପଦ୍ୟୋଗୀଙ୍କ ଏପ୍ରକାରର ଆଚରଣ ଓ ଉଚ୍ଚାରଣ ଅଧିକାରର ଅପବ୍ୟବହାର ଥିବା ଦର୍ଶାଇ ସଂପୃକ୍ତା ମହିଳା ଶିଳ୍ପଦ୍ୟୋଗୀ ଓ ତାଙ୍କ ସ୍ୱାମୀଙ୍କୁ ୨୫ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ବମ୍ବେ ହାଇକୋର୍ଟ।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ହରିୟାଣାରେ ଫିଲ୍‌ ଗୁଡ୍‌ ଇଣ୍ଡିଆ ନାମରେ ଏକ କମ୍ପାନି କରିଥିବା ନେହା ଗାନ୍ଧୀରଙ୍କର ମହାରାଷ୍ଟ୍ର ମୁମ୍ବାଇ ସ୍ଥିତ ସପତ୍‌ ଆଣ୍ଡ କମ୍ପାନି ନାମକ ଏକ ସଂସ୍ଥା ସହ ‘ଟ୍ରେଡ୍‌ମାର୍କ’କୁ କେନ୍ଦ୍ର କରି ବିବାଦ ରହିଥିଲା। ଏ ବିବାଦକୁ କେନ୍ଦ୍ର କରି ଏକ ମାମଲା ବମ୍ବେ ହାଇକୋର୍ଟରେ ବିଚାରାଧୀନ ରହିଥିଲା। ତେବେ, ‘ଟ୍ରେଡ୍‌ମାର୍କ’କୁ କେନ୍ଦ୍ର କରି ମାମଲା କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ନେହା ଗାନ୍ଧୀର ତାଙ୍କ ହରିୟାଣା ସ୍ଥିତ ଫିଲ୍‌ ଗୁଡ୍‌ ଇଣ୍ଡିଆ କମ୍ପାନିରେ ବିବାଦୀୟ ‘ଟ୍ରେଡ୍‌ମାର୍କ’କୁ ବ୍ୟବହାର କରି ଜିନିଷ ପ୍ରସ୍ତୁତ କରୁଥିଲେ।

ଏସଂପର୍କରେ ଅଭିଯୋଗ ହେବା ପରେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌ କଟାଓ୍ଵାଲା ଏହାର ବିଚାର କରି, ହରିୟାଣା ସ୍ଥିତ ଫିଲ୍‌ ଗୁଡ୍‌ ଇଣ୍ଡିଆ କମ୍ପାନିର ଗୋଦାମରେ ଚଢ଼ାଉ କରି ସେଠାରେ ମହଜୁଦ୍‌ ଥିବା ଜିନିଷକୁ ଜବତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି କାର୍ଯ୍ୟ ସଂପାଦନ ପାଇଁ ଜଣେ ‘ରିସିଭର୍‌’ଙ୍କୁ ମଧ୍ୟ ନିଯୁକ୍ତ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରିସିଭର ଜଣକ ହରିୟାଣା ଯାଇ ଫିଲ୍‌ ଗୁଡ୍‌ ଇଣ୍ଡିଆ କମ୍ପାନିର ଗୋଦାମରୁ ଜିନିଷ ଜବତ କରିବା ସହ ତାହାର ଭିଡିଓଗ୍ରାଫି କରୁଥିଲେ। ତେବେ, ଏହି ସମୟରେ ନେହା ଗାନ୍ଧୀର ସେଠାରେ ପହଞ୍ଚି ରସିଭରଙ୍କୁ ଏପରି ନ କରିବାକୁ ଧମକ ଦେବା ସହ ଯଦି ଏପରି କରନ୍ତି ତେବେ ତାଙ୍କ ବିରୋଧରେ ନିର୍ଯାତନା ମାମଲା ଆଗତ କରିବେ ବୋଲି ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର