ଟିଆର୍‌ପି ଦୁର୍ନୀତିି ମାମଲାରେ ପୂର୍ବତନ ବାର୍କ ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ଜାମିନ୍‌ ପ୍ରଦାନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଟିଆର୍‌ପି ଦୁର୍ନୀତିି ମାମଲାରେ ଜେଲ୍‌ ଯାଇଥିବା ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ୍  (ବାର୍କ)ର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତାଙ୍କୁ ମଙ୍ଗଳବାର ଜାମିନ୍‌ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ। ଗତ ଡିସେମ୍ବର ୨୪ ତାରିଖ‌ରେ ମୁମ୍ବାଇ ପୁଲିସ୍‌ର କ୍ରାଇମ ଇଣ୍ଟେଲିଜେନ୍ସ ବ୍ୟୁରୋ ତାଙ୍କୁ ଗିରଫ କରିଥିଲା।

ଦାସଗୁପ୍ତାଙ୍କ ଜାମିନ୍‌ ମଞ୍ଜୁରୀକୁ ନେଇ ଜ‌ଷ୍ଟିସ୍‌ ପିଡି ନାୟକ କହିଛନ୍ତି, ‘ଆବେଦନକାରୀ ଦାସଗୁପ୍ତାଙ୍କ ଜାମିନ୍‌କୁ ମଞ୍ଜୁରୀ ମିଳିଛି। ୨ ଜଣ ଜାମିନ୍‌ଦାର ଏବଂ ୨ ଲକ୍ଷ ଟଙ୍କା ଜମା ବଦଳରେ ତାଙ୍କୁ ଅଦାଲତ ଜାମିନ୍‌ ପ୍ରଦାନ କରିବେ।’ ଦାସଗୁପ୍ତାଙ୍କୁ ୬ ସପ୍ତାହ ମଧ୍ୟରେ ଟଙ୍କା ଜମା କରିବାକୁ କୁହାଯାଇଛି।

ଅଦାଲତ ତାଙ୍କୁ ଜାମିନ୍‌ ପ୍ରଦାନ କରି ତାଙ୍କ ପାସପୋର୍ଟ ଦାଖଲ କରିବାକୁ ଏବଂ ଟ୍ରାଏଲ କୋର୍ଟର ଅନୁମତି ବିନା ଭାରତ ନ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ୬ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ପ୍ରଥମ ଶନିବାର ସେ ପୁଲିସ୍‌ ଷ୍ଟେସନ୍‌ରେ ରିପୋର୍ଟ କରିବେ ଓ ପରେ ତାଙ୍କୁ ୩ ମାସରେ ଥରେ ପୁଲିସ୍‌ ଷ୍ଟେସନ୍‌ରେ ରିପୋର୍ଟ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି।

ଚଳିତବର୍ଷ ଜାନୁଆରିରେ ମୁମ୍ବାଇର ଏକ ସେସନ୍‌ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରିବା ପରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୂର୍ବରୁ ଟିଆର୍‌ପି ଦୁର୍ନୀତିର ମାଷ୍ଟର୍‌ମାଇଣ୍ଡ୍‌ କୁହାଯାଉଥିବା ଦାସଗୁପ୍ତା ନିଜର ଶାରୀରିକ ସମସ୍ୟା ଆଧାରରେ ମଧ୍ୟବର୍ତ୍ତୀକାଳୀନ ଜାମିନ ‌ଆବେଦନ କରିଥିଲେ। ଜାନୁଆରି ୨୨ ତାରିଖରେ ଅଦାଲତ ଦାସଗୁପ୍ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ୍‌ ପାଇଁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର