ମୁମ୍ବାଇ ଗଛକଟା ବିବାଦ: ରହିତାଦେଶ ଆବେଦନ ବମ୍ବେ ହାଇକୋର୍ଟର ଖାରଜ, ଜେଲ୍ ଗଲେ ୨୯ ଆବେଦନକାରୀ

ମୁମ୍ବାଇ: ମହାନଗରର ଆରେ କଲୋନିରେ ଗଛକଟାକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଏବେ ସମଗ୍ର ଦେଶରେ ଚର୍ଚ୍ଚା ସାଉଁଟିଛି । ଏହି ଅଞ୍ଚଳରେ ମେଟ୍ରୋ ଟ୍ରେନ୍ ଲାଗି ଏକ କାର ସେଡ୍ ନିର୍ମାଣ ଲାଗି ଶହ ଶହ ପୁରୁଣା ଗଛ କଟାଯାଇଛି । ଏହାକୁ ପ୍ରଥମେ କିଛି ପରିବେଶବିତ୍ ଓ ପରିବେଶ ସୁରକ୍ଷା କର୍ମୀ ବିରୋଧ କରିଥିଲେ । କେତେକ ସ୍ୱେଚ୍ଛାସେବୀ ସଂଗଠନ ବମ୍ବେ ହାଇକୋର୍ଟରେ ଗଛକଟା ଉପରେ ରହିତାଦେଶ ଲଗାଇବାକୁ ଆବେଦନ କରିଥିଲେ,ଯାହା ଖାରଜ ହୋଇଥିଲା ।

ଗତ କାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଗଛକଟା ଆରମ୍ଭ ହୋଇଥିଲା । ଫଳରେ ଏହାକୁ ସ୍ଥାନୀୟ ଲୋକ ଓ ପରିବେଶ ସୁରକ୍ଷା କର୍ମୀ ଏହାକୁ ବିରୋଧ କରିଥିଲେ । ଘଟଣାସ୍ଥଳରେ ପୁଲିସ ସହ ସେମାନଙ୍କର  ଧସ୍ତାଧସ୍ତି ହୋଇଥିଲା । ପୁଲିସ୍ ଘଟଣାସ୍ଥଳରୁ ୬ ମହିଳାଙ୍କ ସମେତ ୨୯ ଜଣଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ପୁଣିଥରେ ବମ୍ବେ ହାଇକୋର୍ଟଙ୍କ ଠାରେ ଆଜି ସାନି ଆବେଦନ କରାଯାଇଥିଲା । ମାତ୍ର ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲା ।

ଏଥିସହ ଗିରଫ ୨୯ ଜଣଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇ ଯିବାରୁ ସେମାନଙ୍କୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ବର୍ତ୍ତମାନ ମାମଲା ସୁପ୍ରିମକୋର୍ଟକୁ ନେବା ଲାଗି ପରିବେଶ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ହେଉଛନ୍ତି ।

ସମ୍ବନ୍ଧିତ ଖବର