ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ବମ୍ବେ ହାଇକୋର୍ଟଙ୍କ ମତ: ଆନ୍ଦୋଳନକାରୀ ‘ଦେଶଦ୍ରୋହୀ’ ନୁହନ୍ତି

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଲୋକଙ୍କୁ ‘ଦେଶଦ୍ରୋହୀ’ କିମ୍ବା ‘ବିଶ୍ବାସଘାତକ’ ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍‌ କହିଛନ୍ତି। ୨୧ ଜାନୁଆରିରେ ବିଡ଼୍‌ ଜିଲ୍ଲାର ମାଜଲଗାବରେ କେତେକ ଆନ୍ଦୋଳନକାରୀ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିବାକୁ ଚାହୁଥିଲେ। ତେବେ ପୁଲିସ ସେମାନଙ୍କୁ ଏଭଳି ଧାରଣାରେ ବସିବାକୁ ଅନୁମତି ଦେଇନଥିଲା। ଏହା ବିରୋଧରେ ଇଫ୍‌ତେଖାର୍‌ ଶେଖ୍‌ ଏବଂ ଅନ୍ୟ କେତେକ ଆନ୍ଦୋଳନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ସ୍ଥାନୀୟ ପୁଲିସ ଏବଂ ଜିଲ୍ଲା କୋର୍ଟର ଏ ସଂକ୍ରାନ୍ତ ଆଦେଶକୁ ରଦ୍ଦ କରିବା ସହ ଆନ୍ଦୋଳନକାରୀଙ୍କୁ ଧାରଣାରେ ବସିବା ପାଇଁ ଅନୁମତି ଦେଇଛନ୍ତି।

ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଦେଶଦ୍ରୋହୀ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆନ୍ଦୋଳନକାରୀମାନେ କେବଳ ଏକ ଆଇନକୁ ବିରୋଧ କରୁଛନ୍ତି। ଏଭଳି ବିରୋଧ କରିବାର ଅଧିକାର ସେମାନଙ୍କର ରହିଛି ବୋଲି କୋର୍ଟ କହିଛନ୍ତି। ବ୍ରିଟିଶ୍‌ ରାଜରେ ଆମର ପୂର୍ବଜମାନେ ସ୍ବାଧୀନତା ପାଇଁ ଲଢ଼େଇ କରିଥିଲେ। ମାନବାଧିକାରକୁ ସର୍ବାଧିକ ଗୁରୁତ୍ବ ଦେଇ ଆମର ସମ୍ବିଧାନ ପ୍ରସ୍ତୁତ ହୋଇଛି। ଲୋକେ ନିଜ ସରକାର ବିରୋଧରେ ଏଭଳି ବିରୋଧ କରିବା ଦୁର୍ଭାଗ୍ୟପୂର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କୁ ଆନ୍ଦୋଳନ କରିବାର ଅଧିକାରରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର