ମୁମ୍ବାଇ :  ବମ୍ବେ ହାଇକୋର୍ଟ ସୋମବାର କହିଛନ୍ତି ଯେ ମରାଠା କୋଟା ଆନ୍ଦୋଳନ ମଧ୍ୟରେ ସମଗ୍ର ମୁମ୍ବାଇ ସହର ଠପ୍‌ ହୋଇଯାଇଛି।  ହାଇକୋର୍ଟ କହିଛନ୍ତି, ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ହେଉନାହିଁ। ଏହା ସମସ୍ତ ସର୍ତ୍ତ ଉଲ୍ଲଂଘନ କରୁଛି। ମରାଠା କୋଟା ସାମାଜିକ କର୍ମୀ ମନୋଜ ଜାରାଙ୍ଗେ-ପାଟିଲ ଏବଂ ତାଙ୍କ ସମର୍ଥକମାନେ ‌ସେପ୍ଟେମ୍ବର ୨ ସୁଦ୍ଧା ସମସ୍ତ ରାସ୍ତା ଖାଲି କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇରେ ଆନ୍ଦୋଳନ ପାଇଁ ଯେଉଁ ସ୍ଥିତି ଉପୁଜିଛି ତ‌ାକୁ ହାଇକୋର୍ଟ ଚିନ୍ତାଜନକ କହିଛନ୍ତି। ତୁରନ୍ତ ସ୍ଥିତିରେ ସୁଧାର ଆଣିବାପାଇଁ ଏବଂ ସମସ୍ତ ରାସ୍ତା ଗୁଡ଼ିକୁ ମଙ୍ଗଳବାର ଅପରାହ୍ନ ସୁ୍ଦ୍ଧା ଖାଲି କରିବା ପାଇଁ କୋର୍ଟ ଜାରାଙ୍ଗେ ଏବଂ ତାଙ୍କ ସମର୍ଥକମାନଙ୍କୁ ସୁଯୋଗ ଦେଇଛନ୍ତି।  ଏକ ସ୍ବତନ୍ତ୍ର ଶୁଣାଣିରେ ଜଷ୍ଟିସ ରବିନ୍ଦ୍ର ଘୁଗେ ଏବଂ ଗୌତମ ଅଙ୍ଖଦ କହିଛନ୍ତି, ଆନ୍ଦୋଳନକାରୀ ସର୍ତ୍ତ ଉଲ୍ଲଂଘନ କରିଛନ୍ତି। ଆନ୍ଦୋଳନ ପାଇଁ ଧାର୍ଯ୍ୟ ସ୍ଥଳ ଆଜାଦ ମଇଦାନରେ ସେମାନେ ରହିନାହାନ୍ତି।  ଖଣ୍ଡପୀଠ କହିଛନ୍ତି, ଆନ୍ଦୋଳନ କିଭଳି ଶାନ୍ତିପୂର୍ଣ୍ଣ ହେଉଛି ତାହା ଆମେ ଦେଖିପାରୁଛୁ। ବିଚାରପତି ଏବଂ ଆଇନଜୀବୀଙ୍କ ପାଇଁ ରାସ୍ତା ବନ୍ଦ କରାଯାଉଛି।

Advertisment

ହାଇକୋର୍ଟ ବିଚାରପତିଙ୍କ କାର୍‌କୁ ଅଟକାଯାଉଛି। ସମଗ୍ର ସହର ବନ୍ଦ ହୋଇଯାଇଛି।  କୋର୍ଟ କହିଛନ୍ତି, ଜାରାଙ୍ଗେ-ପାଟିଲ ଏବଂ ତାଙ୍କ ସମର୍ଥକମାନଙ୍କୁ ଆନ୍ଦୋଳନ ଜାରି ରଖିବାପାଇଁ ଅନୁମତି ମିଳିନଥିବାରୁ ମହାରାଷ୍ଟ୍ର ସରକାର ଏଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।  ତେବେ ମହାରାଷ୍ଟ୍ର ସରକାର କାହିଁକି ରାସ୍ତା ସଫା କରୁନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଜାରାଙ୍ଗେ-ପାଟିଲଙ୍କ ଆମରଣ ଅନଶନକୁ ଖଣ୍ଡପୀଠ ଏକ ସ୍ପଷ୍ଟ ଧମକ ବୋଲି କହିଛନ୍ତି।