ମୁମ୍ବାଇ: 'କାନ ଧର, ଇଂଜିନିୟରିଂ ଛାତ୍ର ହୋଇ ଏୟା କରୁଛ' କିଛି ଏଭଳି କହି ହାଇକୋର୍ଟ ବିଚାରପତି ଆଜି ଜଣେ ଯୁବକଙ୍କୁ ଏଭଳି ତାଛଲ୍ୟ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଜଣେ ଇଂଜିନିୟରିଂ ଛାତ୍ର ପରିବାର ସହ ମିଶି ନିଜ ଦାଦାଙ୍କୁ ଆକ୍ରମଣ କରିଥିଲେ | ଏହି ମାମଲା ଯେତେବେଳେ ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲା ବିଚାରପତି ଏହା ଶୁଣି ନାରାଜ ହୋଇଯାଇଥିଲେ ଇଂଜିନିୟର ଛାତ୍ରଙ୍କୁ କାନ ଧରିବାକୁ କହିଥିଲେ | ଅଭିଯୁକ୍ତଙ୍କ ନାମ ଜୟନ୍ତୀ ଚୌହାନ ହୋଇଥିବାବେଳେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା | ସେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ମିଶି ନିଜ ଦାଦାଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା |
ଆଉ ପୁଲିସ ଧାରା ୩୨୩, ୩୨୪, ୫୦୪ରେ ଜୟନ୍ତୀ ଓ ତାଙ୍କ ପରିବାର ନାମରେ ମାମଲା ରୁଜୁ କରିଥିଲା | ଏହି ମାମଲାକୁ ଖାରଜ କରିବା ପାଇଁ ଜୟନ୍ତୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା | ତେବେ ବିଚାରପତି ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ଏମଏନ ଯାଦବଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କୁ ପଚାରିଥିଲେ ଯେ ତୁମକୁ କେମିତି ଲାଗିବ ଯଦି ତୁମ ବାପାଙ୍କୁ କେହି ମାଡ ମାରିବ ? ତେବେ ତୁମେ ତୁମ ଦାଦାଙ୍କୁ କାହିଁକି ଆକ୍ରମଣ କଲ ? ଏହା ପରେ ଜଷ୍ଟିସ ଏମଏନ ଯାଦବ କହିଥିଲେ ଯେ କାନ ଧର |
ଯେତେବେଳେ ବିଚାରପତି ଏହା କହିଥିଲେ କୋର୍ଟରେ ଉପସ୍ଥିତ ଥିବା ଓକିଲ ଓ ଲୋକମାନେ ହସିଥିଲେ | ଆଉ ସମସ୍ତେ ହସୁଥିବାର ଦେଖି ଅଭିଯୁକ୍ତ ବି ହସିଥିଲେ | ଏହା ପରେ ବିଚାରପତି ପଚାରିଥିଲେ ଯେ ତୁମେ କଣ କରୁଛ | ଜୟନ୍ତୀ କହିଥିଲେ ଯେ ମୁଁ ଇଂଜିନିୟରିଂ ପଢୁଛି | ଏହା ପରେ ବିଚାରପତି କହିଥିଲେ ଯେ,' ଜଣେ ଇଂଜିନିୟରିଂ ଛାତ୍ର ହୋଇ ଏଭଳି କରୁଛ | ଆଉ ଏଭଳି କେବେ କରିବ ନାହିଁ, ନହେଲେ ଜେଲକୁ ପଠାଇଦେବି |