ମୁମ୍ବାଇ: ଦିଲ୍ଲୀର ନିଜାମୁଦ୍ଦିନରେ ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଦେଶୀ ନାଗରିକଙ୍କ ପାଇଁ ଦେଶରେ କରୋନା ବ୍ୟାପିଛି ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ ଏହା ଅପପ୍ରଚାର ଥିଲା ଓ ସେମାନଙ୍କ ମୁଣ୍ଡରେ ଅଠା ବୋଳାଯାଇଥିଲା ବୋଲି ବମ୍ବେ ହାଇକୋର୍ଟ କହିଛନ୍ତି। ଏପରିକି ସେମାନଙ୍କ ବିରୋଧରେ ଦାଏର କରାଯାଇଥିବା ଏତଲାକୁ ମଧ୍ୟ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଅଯଥାରେ ତବଲିଗି ଜମାତରେ ଯୋଗ ଦେଇଥିବା ବିଦେଶୀ ନାଗରିଙ୍କ ମୁଣ୍ଡରେ ଅଠା ବୋଳାଯାଉଛି ଏବଂ କରୋନା ବ୍ୟାପିବାରେ ସେହି ବିଦେଶୀ ନାଗରିକଙ୍କର କୌଣସି ଭୂମିକା ନାହିଁ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି। ତବଲିଗି ଜମାତର ୩୪ ଜଣ ସଦସ୍ୟଙ୍କ ବିରୋଧରେ ହୋଇଥିବା ଏତଲାକୁ ବମ୍ବେ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏହି ଏତଲାରେ ତବଲିଗି ଜମାତର ୨୯ ଜଣ ବିଦେଶୀ ସଦସ୍ୟଙ୍କ ନାମ ରହିଥିଲା।
ତବଲିଗି ସଦସ୍ୟଙ୍କ ପାଇଁ କରୋନା ବ୍ୟାପିନାହିଁ। ସେମାନଙ୍କୁ ଭିତ୍ତିହୀନ ଭାବେ ଦୋଷାରୋପ କରାଯାଇଛି ବୋଲି କୋର୍ଟ କହିଛନ୍ତି। ରାଜନୈତିକ ବାଧ୍ୟବାଧକତାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ବୋଲି ଖଣ୍ଡପୀଠ କହିଛନ୍ତି। ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ଏକ ଥାନାରେ ତବଲିଗି ଜମାତ ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଥିଲା। ଆଇପିସିର ବିଭିନ୍ନ ଧାରା ସହିତ ମହାମାରୀ ଆଇନ, ବିପର୍ଯ୍ୟୟ ପରିଚାଳନା ଆଇନ ଓ ପର୍ଯ୍ୟଟନ ଭିସା ଉଲ୍ଲଂଘନ ଅଭିଯୋଗରେ ବିଦେଶୀ ନାଗରିକଙ୍କ ବିରୋଧରେ ଏତଲା ଦାଏର କରାଯାଇଥିଲା। ମହାରାଷ୍ଟ୍ରର ୬ ଜଣ ବ୍ୟକ୍ତି ଏହି ବିଦେଶୀ ତବଲିଗି ସଦସ୍ୟମାନଙ୍କୁ ଆଶ୍ରୟ ଦେଇଥିବାରୁ ସେମାନଙ୍କୁ ଦୋଷାରୋପ କରାଯାଇଥିଲା। ତେବେ ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ ତବଲିଗି ସଦସ୍ୟଙ୍କ ବିରୋଧରେ କରାଯାଇଥିବା ଏତଲାକୁ ନେଇ କଟୁ ସମାଲୋଚନା କରିଛନ୍ତି। ଏହି ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ହୋଇଥିବାରୁ ସେମାନଙ୍କ ବିରୋଧରେ ଘୃଣା ପ୍ରସାର କରାଯାଇଛି। ସୂଚନାଯୋଗ୍ୟ, କରୋନା ବେଳେ ତବଲିଗି ଜମାତ ପକ୍ଷରୁ ଦିଲ୍ଲୀରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ବିଦେଶରୁ ଅନେକ ସଦସ୍ୟ ଅଂଶଗ୍ରହଣ କରିଥିଲେ। ତବଲିଗିଙ୍କ ପାଇଁ ଦେଶରେ କରୋନା ସଂକ୍ରମଣ ବ୍ୟାପିଲା ବୋଲି ସେହି ସମୟରେ ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/bombay-high-court.jpg)