ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦୁଇଟି ପର୍ଯ୍ୟାୟରେ ୨୧୨ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ତେବେ ପ୍ରାର୍ଥୀ ତାଲିକା ପ୍ରକାଶ ପରେ ବିଜେପିର କିଛି ନେତା ଦଳ ଛାଡି ବିଦ୍ରୋହ କରିଛନ୍ତି | ଆଜି କର୍ଣ୍ଣାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବଦୀ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ କହିଛନ୍ତି ଯେ ବିଧାୟକ ହେବାକୁ ଇଚ୍ଛା କରୁଥିବା କିଛି ନେତା ହୁଏତ ରାସ୍ତା ବଦଳାଇଥିବେ, କିନ୍ତୁ କର୍ମୀମାନେ ଦଳ ସହ ଅଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବାକୁଥିବାବେଳେ ଭୋଟ୍ ଗଣତି ମେ ୧୩ରେ ହେବ | ବୋମ୍ମାଇ କହିଛନ୍ତି ଯେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କ ଲାଗି କୌଣସି ଫରକ ପଡିବ ନାହିଁ |

Advertisment

ରାଜ୍ୟରେ ୬୦ ଟି ଆସନ ପାଇଁ କଂଗ୍ରେସରେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ରହିଛି ବୋଲି ସେ ଦାବି କରିଛନ୍ତି। ତାଙ୍କ ଦଳ ମଧ୍ୟରେ ଅସନ୍ତୋଷର ସ୍ୱର ସମ୍ପର୍କରେ ବୋମ୍ମାଇ କହିଛନ୍ତି ଯେ ଶାସକ ଦଳରେ ଟିକେଟ୍ ପାଇଁ ଅଧିକ ଚାହିଦା ରହିବା ସ୍ୱାଭାବିକ। ସେ କହିଛନ୍ତି ଯେ ଆମେ ଆମର କର୍ମୀଙ୍କ ସହ କଥା ହୋଇଛୁ। କିଛି ନେତା ଦଳ ଛାଡି ଯିବାକୁ ଚାହୁଁଛନ୍ତି | ସେମାନେ କିଭଳି ବିଧାୟକ ହେବେ ସେହି ସ୍ୱପ୍ନରେ ଦଳ ଛାଡି ଚାଲିଯାଉଛନ୍ତି କିନ୍ତୁ କର୍ମୀମାନେ ଯିବେ ନାହିଁ | କର୍ମୀମାନେ ଦଳ ସହ ଅଛନ୍ତି। ଆମର ଦଳ ଏବଂ କର୍ମୀମାନେ ମଜଭୁତ ଥିବାରୁ ଜନସାଧାରଣ ଆମର ବିଜୟ ସୁନିଶ୍ଚିତ କରିବେ। ଉଲ୍ଲେଖ ଥାଉ କି କର୍ଣ୍ଣାଟକ ନିର୍ବାଚନ ପାଇଁ ​​ବିଜେପି ୬୦ରୁ ଅଧିକ ନୂଆ ଚେହେରାଙ୍କ ନାମ ଘୋଷଣା କରିଛି, ଯାହାପରେ ଟିକେଟ ଆଶାୟୀ ନେତାମାନେ ଏବେ କଂଗ୍ରେସ ମୁହାଁ ହୋଇଛନ୍ତି |