ସହିଦ କନେଷ୍ଟବଳଙ୍କ ସ୍ମୃତିରେ ଆଇପିଏସ୍ ଅଫିସର ଆରମ୍ଭ କଲେ ନିଆରା ଅଭିଯାନ- ‘ବହି ବ୍ୟାଙ୍କ’

ରାୟପୁର: ସହିଦ ସାଥୀଙ୍କ ପାଇଁ ଆରମ୍ଭ କଲେ ଭିନ୍ନ ଅଭିଯାନ | ସହିଦ କନେଷ୍ଟବଳଙ୍କ ସ୍ମୃତିରେ ଆଇପିଏସ ଅଫିସର ଆରମ୍ଭ କଲେ ବହି ବ୍ୟାଙ୍କ ଅଭିଯାନ | ଆଜି ଆମେ ଆପଣଙ୍କୁ ଆଇପିଏସ ଅଫିସର ସୁରଜ ସିଂହଙ୍କ ବାବଦରେ କହିବୁ ଯିଏ କି ସହିଦ ହୋଇଯାଇଥିବା ଜଣେ କନେଷ୍ଟେବଳଙ୍କ ସ୍ମୃତିରେ ସମାଜସେବାରେ ନିୟୋଜିତ ଅଛନ୍ତି | ଏପ୍ରିଲ ମାସ ୨୦୨୦ରେ ସୁରଜ ସିଂହ ବୁକ ବ୍ୟାଙ୍କର ଆରମ୍ଭ କରିଥିଲେ | ବୁକ ବ୍ୟାଙ୍କର ଲକ୍ଷ୍ୟ ହେଉଛି ଯେ କିଭଳି ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀମାନେ ମାଗଣାରେ ବହି ପାଇପାରିବେ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇପାରିବେ |

ଛତିଶଗଡର ଗୋରେଲା-ପେଂଡ଼ରୋ-ମରବାହୀ(ଜିପିଏମ)ରେ ବୁକ ବ୍ୟାଙ୍କ କରାଯାଇଛି | ବର୍ତ୍ତମାନ ବୁକ ବ୍ୟାଙ୍କରେ ୩୦୦୦ ବହି ଥିବାବେଳେ ଏହି ସବୁ ବହି ଦାନ ସୂତ୍ରରେ ମିଳିଛି | ସୁରଜ ସିଂହ ସୋସିଆଲ ମିଡିଆରେ ଅପିଲ କରି ବହି ମଗାଇଥାନ୍ତି | ପୁରୁଣା ବହିକୁ ଫୋପାଡ଼ିଦେବା ଅପେକ୍ଷା ବୁକ ବ୍ୟାଙ୍କକୁ ଦେବାକୁ ଅନୁରୋଧ କରିଥାନ୍ତି | ଆଉ ବହୁ ସଂଖ୍ୟାରେ ଲୋକ ଏବେ ବୁକ ବ୍ୟାଙ୍କକୁ ବହି ଦାନ ଦେବାରେ ଲାଗିଛନ୍ତି |

କିଭଳି ଆସିଲା ବହି ବ୍ୟାଙ୍କର ଭାବନା?
ସୁରଜ ସିଂହଙ୍କ କହିବା ମୁତାବକ ୨୦୧୯-୨୦ ମସିହାରେ ଯେତେବେଳେ ସେ ନକ୍ସଲ ପ୍ରଭାବିତ ଦାନ୍ତେୱାଡାରେ ଡ଼ିଏସପି ଭାବରେ ଚାକିରି କରୁଥିଲେ, ସେତେବେଳେ ଶିକ୍ଷାର ଅଭାବ ଯୋଗୁଁ କିଛି ଯୁବକ ହାତରେ ବନ୍ଧୁକ ଧରି ମାଓବାଦୀ ହୋଇଯାଉଥିବାର ଦେଖିବାକୁ ପାଇଥିଲେ | ଆଉ କିଭଳି ଯୁବକମାନେ ଶିକ୍ଷା ଅଭାବରୁ କୁପଥକୁ ଯିବେ ନାହିଁ , ସେଥିପାଇଁ ବହି ବ୍ୟାଙ୍କ ସ୍ଥାପନ କରିଥିଲେ | ଏହା ସହ ନକ୍ସଲଙ୍କ ସହ ମୁହାଁମୁହିଁ ବେଳେ ସହିଦ ହୋଇଥିବା ହେଡ଼ କନେଷ୍ଟବଳ ଶିବ ନାରାୟଣ ବାଘେଲଙ୍କ ସ୍ମୃତିରେ ବହି ବ୍ୟାଙ୍କର ସ୍ଥାପନ କରାଯାଇଥିଲା |

ସମ୍ବନ୍ଧିତ ଖବର