‘ଆକାଶ ଏୟାର’ ବିମାନ ପାଇଁ ବୁକିଂ ଆରମ୍ଭ, ଅଗଷ୍ଟ ୭ରେ ପ୍ରଥମ ଉଡ଼ାଣ

ନୂଆଦିଲ୍ଲୀ: ଆଜିଠାରୁ ୨୮ଟି ଉଡାଣ ପାଇଁ ଟିକେଟ ବୁକିଂ ଆରମ୍ଭ କରିଛି ନୂଆ ବିମାନ ପରିବହନ କମ୍ପାନୀ ଆକାଶ ଏୟାର । ଜଣାଶୁଣା ଶିଳ୍ପପତି ରାକେଶ ଝୁନଝୁନୱାଲାଙ୍କ ଦ୍ବାରା ପ୍ରତିଷ୍ଠିତ  ବିମାନ ସଂସ୍ଥା ଆକାଶ ଏୟାର ବୁକିଂ ଆରମ୍ଭ କରିଛି । କମ୍ପାନୀ ଆଜି ଘୋଷଣା କରିଛି ଯେ, ଅଗଷ୍ଟ ୭ତାରିଖରୁ ଏହାର ବିମାନ ପ୍ରଥମ ବ୍ୟବସାୟିକ ଉଡ଼ାଣ କରିବ । ଆକାଶ ଏୟାର ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ବ୍ୟବହାର କରି ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରଥମ ସେବା ପ୍ରଦାନ କରିବ । ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ଅଗଷ୍ଟ ୭ ତାରିଖରୁ ସାପ୍ତାହିକ ଭିତ୍ତିରେ ଉଡାଣ ସେବା ଜାରି ରହିବ । ଏଥିସହିତ, ଅଗଷ୍ଟ ୧୩ରୁ ବାଙ୍ଗାଲୋର-କୋଚି ମାର୍ଗରେ ଆକାଶ ଏୟାରର ବିମାନ ଚଳାଚଳ କରିବ ।

ଉଡ଼ାଣ ଲାଗି ଦୁଇଟି ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନ ଆକାଶ ଏୟାର ଖରିଦ କରିଛି । ସେଥିମଧ୍ୟରୁ ଗୋଟିଏ ଆକାଶ ଏୟାରର ହସ୍ତଗତ ହୋଇସାରିଛି ଏବଂ ଅନ୍ୟଟି ଚଳିତ ମାସ ଶେଷ ସୁଦ୍ଧା ବୋଇଂ ଯୋଗାଇଦେବ । ଆକାଶ ଏୟାରର ମୁଖ୍ୟ ବାଣିଜ୍ୟିକ ଅଧିକାରୀ କହିଛନ୍ତି ଯେ, ପ୍ରଥମେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରୁଛୁ । ନେଟୱାର୍କ ବିସ୍ତାର ଯୋଜନା ଅଧୀନରେ ଦେଶର ବଡ଼ ସହରଗୁଡ଼ିକୁ ପର୍ଯ୍ୟାୟକ୍ରମେ  ସଂଯୋଗ କରିବୁ । ଆକାଶ ଏୟାରକୁ ୭ ଜୁଲାଇରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ରୁ ଏୟାର ଅପରେଟର ସାର୍ଟିଫିକେଟ୍ (ଏଓସି) ମିଳିଥିଲା ।

ସୂଚନା ମୁତାବକ, ଗତ ବର୍ଷ ନଭେମ୍ବରରେ ଆକାଶ ଏୟାର ବୋଇଙ୍ଗ ସହିତ ୭୨ ମ୍ୟାକ୍ସ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା । ଏଥିପାଇଁ କମ୍ପାନୀ ଅଗଷ୍ଟ ମାସରେ ଡିଜିସିଏରୁ ଅନୁମୋଦନ ନେଇଥିଲା । ଏହାର ହୋଲଡିଂ କମ୍ପାନୀ ହେଉଛି ଏସଏନଭି । ବରିଷ୍ଠ ନିବେଶକ ରାକେଶ ଝୁନଝୁନୱାଲା ଏବଂ ଜେଟ ଏୟାରୱେଜର ପୂର୍ବତନ ସିଇଓ ବିନୟ ଦୁବେଙ୍କ ଦ୍ୱାରା ଆକାଶ ଏୟାର ପରିଚାଳିତ ହୋଇଛି ।

ସମ୍ବନ୍ଧିତ ଖବର