ରାଜସ୍ଥାନ ଉତ୍ସବରେ ଧର୍ମାନ୍ଧତା ସୃଷ୍ଟି କରୁଛି ‘ଲଭ୍‌ ଜିହାଦ୍‌’ ପୁସ୍ତିକା

ଜୟପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଅନୁମୋଦିତ ସଙ୍ଗଠନ ଦ୍ୱାରା ଆୟୋଜିତ ଏକ ଆଧ୍ୟାତ୍ମିକ ମେଳାରେ ବିଶ୍ୱ ହିନ୍ଦୁ ପରିଷଦ୍‌ ଏବଂ ବଜରଙ୍ଗୀ ଦଳ ଦ୍ୱାରା ବଣ୍ଟନ କରାଯାଉଥିବା ଦୁଇଟି ବିବାଦୀୟ ପୁସ୍ତିକାରେ ମୁସଲମାନ ବିରୋଧୀ କଥାବସ୍ତୁ ରହିଛି। ସେଥିରୁ ୫ ଟଙ୍କା ମୂଲ୍ୟରେ ବିଶ୍ୱ ହିନ୍ଦୁ ପରିଷଦ୍‌ ଦ୍ୱାରା ବିକ୍ରୟ କରାଯାଉଥିବା ଏକ ପୁସ୍ତିକାରେ ଆତଙ୍କବାଦୀ, ଦେଶବିରୋଧୀ, ପାକିସ୍ତାନ ସମର୍ଥକ, ବହୁନାରୀ ଭୋଗୀ ଏବଂ ଚୋରାଚାଲାଣକାରୀ ଆଦି ଶବ୍ଦ ମୁସଲମାନଙ୍କୁ ବର୍ଣ୍ଣନା କରିବାରେ ବ୍ୟବହାର କରିବାକୁ ହିନ୍ଦୁ ଗୃହିଣୀମାନଙ୍କୁ ଉପଦେଶ ଦିଆଯାଇଛି। ଏହାକୁ ‘ଲଭ୍‌ ଜିହାଦ୍‌’ ବିରୋଧରେ ଏକ ଅଭିଯାନ ବୋଲି ଆଖ୍ୟାୟିତ କରାଯାଇଛି।

ବିଶ୍ୱ ହିନ୍ଦୁ ପରିଷଦ୍‌ ଏବଂ ବଜରଙ୍ଗ ଦଳ ସଦସ୍ୟମାନେ ମାଗଣାରେ ବଣ୍ଟନ କରୁଥିବା ଦ୍ୱିତୀୟ ପାମ୍ପ୍ଲେଟ୍‌ରେ ବଲିଉଡ୍‌ ଅଭିନେତ୍ରୀ କରିନା କପୁରଙ୍କର ଏକ ସମ୍ପାଦିତ ଚିତ୍ର ମୁଦ୍ରିତ ହୋଇଛି। ସେଥିରେ କରିନାଙ୍କ ମୁହଁର ଅର୍ଦ୍ଧେକ ନିକାବ୍‌ରେ ଆବୃତ ହୋଇଥିବାବେଳେ ବାକି ଅର୍ଦ୍ଧକ କପାଳରେ ଲାଗିଛି ବିନ୍ଦିଟିଏ।

ପମ୍ପ୍ଲେଟ୍‌ରେ ଉଲ୍ଲେଖ ରହିଛି, ଗତ ହଜାରେ ବର୍ଷ ହେବ ହିନ୍ଦୁମାନଙ୍କୁ ମୁସଲମାନ କରିବାକୁ ‘ଲଭ୍‌ ଜିହାଦ୍‌’ ଉପଯୋଗ କରୁଛନ୍ତି। ଅନ୍ୟ ହିନ୍ଦୁ ମହିଳାମାନଙ୍କୁ ଫସାଇବା ନିମନ୍ତେ ସେମାନେ ନିଜର ନିଜର ହିନ୍ଦୁ ପତ୍ନୀଙ୍କୁ ତ୍ୟାଗ କରିଛନ୍ତି ବୋଲି ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସୈଫ ଅଲ୍ଲୀ ଖାଁଙ୍କ ଦୃଷ୍ଟାନ୍ତ ଦିଆଯାଇଛି।

ଗୁରୁବାର ଦିନ ଆରମ୍ଭ ହୋଇଥିବା ହିନ୍ଦୁ ସ୍ପିରିଚୁଆଲ୍‌ ଆଣ୍ଡ୍‌ ସର୍ଭିସ୍‌ ଫାଉଣ୍ଡେସନ୍‌ ଦ୍ୱାରା ଆୟୋଜିତ ୫ ଦିନିଆ ଆଧ୍ୟାତ୍ମିକ ମେଳାରେ ପୁସ୍ତିକାଗୁଡ଼ିକ ବିକ୍ରୟ ଏବଂ ବଣ୍ଟନ କରାଯାଉଛି।

କିନ୍ତୁ, ଆୟୋଜକମାନେ ମେଳାରେ କ୍ରୋଧଉଦ୍ରେକକାରୀ ସାମଗ୍ରୀ ବଣ୍ଟନ ହେଉଥିବା କଥାକୁ ଅସ୍ୱୀକାର କରାଯାଇଛି। ଏହା ଏକ ଆଧ୍ୟାତ୍ମିକ ମେଳା; ଆମେ ଲଭ୍‌ ଜିହାଦ୍‌ ସଂକ୍ରାନ୍ତ କୌଣସି ପୁସ୍ତିକା ବଣ୍ଟନ କରୁ ନାହୁଁ ବୋଲି ଏଚ୍‌ଏସ୍‌ଏସ୍‌ଏଫ୍‌ର ସହ-ସମ୍ପାଦକ ରାଜେନ୍ଦ୍ର ସିଂହ ଶେଖାଓ୍ଵତ କହିଛନ୍ତି।

‘ଜିହାଦ ଆଣ୍ଡ୍‌ ଲଭ୍‌ ଜିହାଦ୍‌… ହିନ୍ଦୁ ଗର୍ଲସ୍‌ ବିେଓ୍ଵର୍‌’ ଶୀର୍ଷକ ଏହି ୧୬ ପୃଷ୍ଠିଆ ବିଶ୍ୱ ହିନ୍ଦୁ ପରିଷଦ୍‌ ପୁସ୍ତିକା ଅନୁମୋଦ କରେ ଯେ ସ୍କୁଲ୍‌ ଏବଂ କଲେଜ୍‌ରେ ଝିଅମାନଙ୍କର କାର୍ଯ୍ୟକଳାପ ପ୍ରତି ପିତାମାତାମାନେ ଦୃଷ୍ଟି ଦେବା ଏବଂ ମୋବାଇଲ୍‌ ଫୋନ୍‌ ସ୍କାନ୍‌ କରିବା ଆବଶ୍ୟକ। କୌଣସି ମୁସଲମାନ ପିଲା ତାକୁ ଭେଟିବାକୁ ଘରକୁ ଆସିଲେ ତାଙ୍କୁ ଚେତାବନୀଦେବା କଥା।

ସମ୍ବନ୍ଧିତ ଖବର