ନୂଆଦିଲ୍ଲୀ: ଭାରତ ତା’ର ସାର୍ବଜନୀନ କୋଭିଡ୍ ଟିକାକରଣ ଅଭିଯାନକୁ ସମ୍ପ୍ରସାରଣ କରିବାକୁ ଯାଉଛି। ମାର୍ଚ୍ଚ ୧୬ରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କୁ ଟିକାଦାନ ଆରମ୍ଭ କରାଯାଉଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଘୋଷଣା କରିଛନ୍ତି। ଏଥି ସହ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ପ୍ରିକସନ ଡୋଜ୍ (ବୁଷ୍ଟର) ନେଇପାରିବେ ବୋଲି ଯେଉଁ ନିୟମ ଥିଲା, ତାକୁ ବଦଳାଇ ଦିଆଯାଇଛି। ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥାଉ କି ନ ଥାଉ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ସମସ୍ତ ବ୍ୟକ୍ତି ଟିକା ନେଇପାରିବେ ବୋଲି ଘୋଷଣା କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ବୈଜ୍ଞାନିକ ସଂସ୍ଥାଗୁଡ଼ିକ ସହ ଅନେକ ବିଚାରବିମର୍ଶ ପରେ ୧୨-୧୩ ଓ ୧୩-୧୪ ବୟସ ବର୍ଗର (୨୦୦୮, ୨୦୦୯ ଓ ୨୦୧୦ରେ ଜନ୍ମିତ) ପିଲାଙ୍କୁ ବା ୧୨ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ମାର୍ଚ୍ଚ ୧୬ ତାରିଖରୁ ଟିକା ଦବାକୁ ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ବାୟୋଲୋଜିକାଲ ଇଭାନ୍ସ, ହାଇଦ୍ରାବାଦ ଦ୍ବାରା ପ୍ରସ୍ତୁତ କର୍ବେଭାକ୍ସ ଟିକା ଦିଆଯିବ। ସାମାଜିକ ଗଣମାଧ୍ୟକ ‘କୁ’ରେ ଏହି ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ପିଲାମାନେ ନିରାପଦ ରହିଲେ ଦେଶ ନିରାପଦ ରହିବ। ଆଗରୁ ୧୪ ବର୍ଷରୁ ଊର୍ଦ୍ଧ୍ବ ପିଲାଙ୍କୁ ଟିକା ଦିଆଯାଇଥିଲା ଏବଂ ବର୍ତ୍ତମାନ ୧୨ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ପିଲା ଟିକା ନେବା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତି ପ୍ରିକସନ ଡୋଜ୍ ନେବା ପାଇଁ ମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି।
ବୁଧବାରଠାରୁ ୧୨ରୁ ୧୪ ବର୍ଷୀୟଙ୍କୁ ଟିକା: ୬୦ ବର୍ଷରୁ ଅଧିକ ସବୁ ବ୍ୟକ୍ତିଙ୍କୁ ବୁଷ୍ଟର୍
/sambad/media/post_attachments/wp-content/uploads/2021/12/ccccc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)