ବୁଥ୍‌ ବାହୁଡ଼ା ମତ: ୟୁପିରେ ରହିବ ବିଜେପି, ପଞ୍ଜାବରେ ଆସିବ ଆପ୍‌

ଗୋଆ, ଉତ୍ତରାଖଣ୍ଡ, ମଣିପୁରରେ ଅସ୍ପଷ୍ଟ; ୧୦ ତାରିଖରେ ଗଣତି, ସ୍ପଷ୍ଟ ହେବ ଚିତ୍ର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ପୁଣି ବିଜେପି ଏବଂ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ବିଜୟୀ ହୋଇ ସରକାର ଗଠନ କରିବେ। ତେବେ ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ କୌଣସି ନିର୍ଦିଷ୍ଟ ଦଳକୁ ଆବଶ୍ୟକ ସଂଖ୍ୟକ ଆସନ ମିଳିବାର ସମ୍ଭାବନା ନଥିବାରୁ ଏହି ସବୁ ରାଜ୍ୟରେ ଚିତ୍ର ଅସ୍ପଷ୍ଟ ରହିଛି। ଉକ୍ତ ପାଞ୍ଚଟି ରାଜ୍ୟରେ ଆଜି ବିଧାନସଭା ନିର୍ବାଚନ ଶେଷ ହେବାପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ବା ବୁଥ୍‌ ବାହୁଡ଼ା ମତରେ ଏଭଳି ପୂର୍ବାନୁମାନ କରାଯାଇଛି।

ସର୍ଭେ ଅନୁଯାୟୀ ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବରେ ବିଜେପି କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ସରକାର ଗଠନ କରିବ। ୪ଟି ସଂସ୍ଥା ପକ୍ଷରୁ ବିଜେପି ଓ ଏହାର ସହଯୋଗୀ ଦଳଙ୍କୁ ହାରାହାରି ୨୪୧ଟି ଆସନ ଦିଆଯାଇଛି। ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ସରକାର ଗଠନ ପାଇଁ ୨୦୨ଟି ଆସନର ଆବଶ୍ୟକତା ରହିଛି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟିକୁ ୧୪୦ରୁ କିଛି ଅଧିକ ଆସନ ମିଳିବ। ମାୟାବତୀଙ୍କ ବିଏସପିକୁ ୧୩ ଏବଂ କଂଗ୍ରେସକୁ ୪ଟି ଆସନ ମିଳିପାରେ ବୋଲି କୁହାଯାଇଛି। ତେବେ ଅଖିଳେଶ ଏକଜିଟ୍ ପୋଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦଳକୁ ୩୦୦ରୁ ଅଧିକ ଆସନ ମିଳିବ।

ସେହିଭଳି ପଞ୍ଜାବରେ କଂଗ୍ରେସକୁ ଗାଦିଚ୍ୟୁତ କରିବ କେଜ୍ରିୱାଲଙ୍କ ଆପ୍‌ (ଆମ୍ ଆଦମି ପାର୍ଟି)। ଏହି ପାର୍ଟିକୁ ଉଲ୍ଲେଖନୀୟ ସଫଳତା ମିଳିବ ବୋଲି ସର୍ଭେରେ କୁହାଯାଇଛି। ୧୧୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୫୯ଟି ଆସନର ଆବଶ୍ୟକତା ଥିବାବେଳେ ଆପ୍‌ ଏଠାରେ ୬୩ଟି ଆସନରେ ଜିତିବ ବୋଲି କୁହାଯାଇଛି। ଫଳରେ ଆପ୍‌ ଦିଲ୍ଲୀ ବାହାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବ। ପଞ୍ଜାବ ପାଇଁ ଭଗୱନ୍ତ ସିଂହ ମାନ୍‌ଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପାର୍ଥୀ ଭାବେ ଘୋଷଣା କରିଛି। ପଞ୍ଜାବ କଂଗ୍ରେସରେ ଭୟଙ୍କର ଅନ୍ତଃକନ୍ଦଳ ହିଁ ଏହି ଦଳପାଇଁ ଘାତକ ସାବ୍ୟସ୍ତ ହେବ। କଂଗ୍ରେସ ଏଠାରେ ବିରୋଧୀ ଆସନରେ ବସିବ। କଂଗ୍ରେସକୁ ୨୮ ଏବଂ ଅକାଳି ଦଳକୁ ୧୯ଟି ଆସନ ମିଳିବାର ସମ୍ଭାବନା ରହିଛି। ବିଜେପିର ପ୍ରଦର୍ଶନ ସେତେଟା ଭଲ ରହିବ ନାହିଁ ବୋଲି କୁହାଯାଉଛି।

 

୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ଏଠାରେ ସରକାର ଗଠନ ପାଇଁ ୩୬ଟି ଆସନ ଆବଶ୍ୟକ। ବିଜେପି କଂଗ୍ରେସ ଠାରୁ ଆଗରେ ରହିଲେ ମଧ୍ୟ ଉଭୟ ଦଳ ଆବଶ୍ୟକ ସଂଖ୍ୟା ହାସଲ କରିପାରିବେ ନାହିଁ। ବିଜେପି ୩୫ଟି ଆସନରେ ଜିତିବ ବୋଲି ପୋଲ୍‌ ଅଫ୍‌ ଦ ପୋଲ୍‌ସର ଆକଳନରୁ ଜଣାଯାଇଛି।

କଂଗ୍ରେସକୁ ୩୨ଟି ଆସନ ମିଳିପାରେ ବୋଲି କୁହାଯାଉଛି।

ଗୋଆରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିବ। ୪୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୨୧। କିନ୍ତୁ ଏଠାରେ ବିଜେପି ୧୬ଟି ଏବଂ କଂଗ୍ରେସ ୧୬ଟି ଆସନରେ ଜିତିପାରେ। ୬୦ ଆସନ ବିଶିଷ୍ଟ ମଣିପୁରରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ହେଉଛି ୩୧। କିନ୍ତୁ ଏଠାରେ ବିଜେପି ୩୦ଟି ଆସନ ଜିତିବ ବୋଲି କୁହାଯାଇଛି। କଂଗ୍ରେସ ମାତ୍ର ୧୪ଟି ଆସନରେ ବିଜୟୀ ହୋଇପାରେ। ଅନ୍ୟ ଦଳଙ୍କୁ ୧୬ଟି ଆସନ ମିଳିବାର ସମ୍ଭାବନା ରହିଛି।

ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟର ମୋଟ ୬୯୦ ଆସନ ପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ଫେବ୍ରୁଆରି ୧୦ ତାରିଖରୁ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହୋଇଥିବାବେଳେ ଆଜି ସପ୍ତମ ପର୍ଯ୍ୟାୟ ଭୋଟ ଉତ୍ତର ପ୍ରଦେଶରେ ଶେଷ ହୋଇଛି। ଆସନ୍ତା ୧୦ ତାରିଖରେ ଫଳାଫଳ ଘୋଷଣା ହେବ।

ଉତ୍ତର ପ୍ରଦେଶ ବିଧାନସଭା ପାଇଁ ସୋମବାର ଦିନ ସପ୍ତମ ପର୍ଯ୍ୟାୟରେ ୫୪ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ସଂଧ୍ୟା ୫ଟା ସୁଦ୍ଧା ୫୪.୧୮ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ୫୪ଟି ଯାକ ବିଧାନସଭା ୯ଟି ଜିଲ୍ଲାରେ ରହିଛି। ତେବେ ଚଳିତପର୍ଯ୍ୟାୟ ନିର୍ବାଚନରେ ସମସ୍ତଙ୍କ ଧ୍ୟାନ ବାରଣାସୀ ଉପରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ଲୋକସଭାର ପ୍ରତିନିଧିତ୍ବ କରୁଛନ୍ତି। ୨୦୧୭ ନିର୍ବାଚନରେ ବିଜେପି ମେଣ୍ଟ ବାରଣାସୀରେ ସମସ୍ତ ୮ଟି ଯାକ ବିଧାନସଭା ଆସନରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର