ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଏଥର ଏନ୍‌ଡିଏର ବଡ଼ ବିଜୟ ହେବ ବୋଲି ଆଜି ବିଭିନ୍ନ ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। ଏନ୍‌ଡିଟିଭି ଇଣ୍ଡିଆ - ଜନ କୀ ବାତ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ୱାଇଏସ୍‌ଆରସିପି କ୍ଷମତାରୁ ବିଦା ହେବ। ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି, ତେଲୁଗୁ ଦେଶମ ପାର୍ଟି ଏବଂ ଜନସେନା ୧୧୧ରୁ ୧୩୫ ଆସନ ଦଖଲ କରି କ୍ଷମତାକୁ ଆସିବ ବୋଲି ଆକଳନ କରାଯାଇଛି। ‘ଟିଭି-୫ ତେଲୁଗୁ’ ଏନ୍‌ଡିଏକୁ ୧୬୧ ଆସନ ସହ ସ୍ପଷ୍ଟ ଜନାଦେଶ ଦେଇଥିବା ବେଳେ ସମସ୍ତ ୧୭୫ଟି ବିଧାନସଭା ଆସନରେ ଲଢିଥିବା ୱାଇଏସଆରସିପିକୁ ୧୪ଟି ଆସନ ଦେଇଛି।

Advertisment

ତେବେ ଏନ୍‌ଡିଏରେ ଆସନ ବୁଝାମଣା ଅନୁଯାୟୀ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱାଧୀନ ଟିଡିପିକୁ ୧୪୪ଟି ବିଧାନସଭା ଆସନ ବଣ୍ଟନ କରାଯାଇଥିଲା। ଅନ୍ୟପକ୍ଷରେ ବିଜେପି ୧୦ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଜନସେନା ପାର୍ଟି ୨୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଛି। ୨୦୧୯ ବିଧାନସଭା ନିର୍ବାଚନରେ ୱାଇଏସ୍‌ଆରସିପି ୧୫୧ଟି ଆସନ ସହ କ୍ଷମତାକୁ ଆସିଥିବା ବେଳେ ଟିଡିପି ୨୩ଟି ଏବଂ ଜନସେନା ମାତ୍ର ଗୋଟିଏ ଆସନ ଜିତିପାରିଥିଲା। ଲୋକସଭା ନିର୍ବାଚନ ସହ ଜୁନ୍ ୪ ତାରିଖରେ ନୂଆ ସରକାର ଚୟନ ପାଇଁ ଭୋଟ୍ ଗଣତି ହେବ। ଜଗନ ମୋହନ ରେଡ୍ଡୀ ଦୁଇ ସପ୍ତାହ ପରେ ଆଜି ଆନ୍ଧ୍ରପ୍ରଦେଶ ଫେରିଛନ୍ତି। ସେ ତାଙ୍କ ପରିବାର ସହ ମେ ୧୭ ତାରିଖରେ ଲଣ୍ଡନ ଯାଇଥିଲେ।