ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆଜି ଶେଷ ହୋଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ପୂର୍ବରୁ ମତଦାନ ଶେଷ ହୋଇଥିବା ବେଳେ ଆଜି ତେଲେଙ୍ଗାନାରେ ଭୋଟ୍‌ ଗ୍ରହଣ ସମାପ୍ତ ହୋଇଛି। ଏହି ନିର୍ବାଚନର ଫଳାଫଳ ଡିସେମ୍ବର ୩ ତାରିଖରେ ଆସିବ। ତେବେ ଏହା ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ଏକ୍‌ଜିଟ ପୋଲ ବା ବୁଥ୍‌ ବାହୁଡ଼ା ମତ ବିଭିନ୍ନ ରାଜନୈତିକ ଦଳଙ୍କ ହୃତ୍‌ସ୍ପନ୍ଦନ ବଢ଼ାଇ ଦେଇଛି। ନିର୍ବାଚନ ପୂର୍ବରୁ ଯାହା ଆକଳନ କରାଯାଉଥିଲା, ବୁଥ୍‌ ବାହୁଡ଼ା ମତ ତାଠାରୁ ଟିକେ ଭିନ୍ନ ଚିତ୍ର ଦେଖାଇଛି। ୫ଟି ଯାକ ରାଜ୍ୟରେ ଝୁଲା ବିଧାନସଭା ନେଇ ମଧ୍ୟ ‌ଅନେକ ରାଜନୈତିକ ବିଶେଷଜ୍ଞ ଆଶଙ୍କା କଲେଣି। ତେଣୁ କ୍ଷମତା ହାତେଇବା ଲାଗି ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ଗଣିତ କାମରେ ମାତି ଯାଇଛନ୍ତି।

Advertisment

ବୁଥ୍‌ ବାହୁଡ଼ା ମତରୁ ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଥିବା ବେଳେ ରାଜସ୍ଥ‌ାନରେ ବିଜେପି ଆଗୁଆ ରହିଥିବା ଭଳି ଜଣାପଡ଼ୁଛି। ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ହାତରୁ କ୍ଷମତା ଯାଇପାରେ। ସେଠାରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ତୃତୀୟ ଥର ଲାଗି କ୍ଷମତା ଦଖଲ ଲାଗି ଆଶା ବାନ୍ଧିଥିବା ରାଓଙ୍କ ବିଆର୍‌ଏସ୍ ରାସ୍ତାରେ କଂଗ୍ରେସ ଓ ବିଜେପି କଣ୍ଟା ହୋଇଛନ୍ତି। ସେହିଭଳି ଏହି ରିପୋର୍ଟ ଅନୁସାରେ ଛତିଶଗଡ଼ରେ ଉଭୟ କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବ‌ା ବେଳେ କଂଗ୍ରେସ ଜିତିଯାଇପାରେ। ତେବେ ମିଜୋରାମରେ କ୍ଷମତାସୀନ ଏମ୍‌ଏନ୍‌ଏଫ୍ ପରାଜୟର ସମ୍ମୁଖୀନ ହୋଇପାରେ। ଏଠାରେ ଜେଡ୍‌ପିଏମ୍ କ୍ଷମତା ଦଖଲ ପାଇଁ ଏମ୍‌ଏନ୍‌ଏଫ୍‌କୁ କଡ଼ା ଟକ୍କର ଦେଉଛି। ୯ଟି ସଂସ୍ଥାର ଏକ୍‌ଜିଟ୍‌ ପୋଲ ମୁତାବକ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ତାଙ୍କ କ୍ଷମତା କାଏମ ରଖିବାରେ ସକ୍ଷମ ହେବେ। ଏଠାରେ ସରକାର ଗଢ଼ିବା ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୪୬। ସମସ୍ତ ସଂସ୍ଥା କଂଗ୍ରେସ ସପକ୍ଷରେ ମତ ଦେଇଛନ୍ତି। ପଡ଼ୋଶୀ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ବରେ ବିଜେପି କ୍ଷମତା ବଜାୟ ରଖିବ ବୋଲି କେତେକ ସର୍ଭେରୁ ସଙ୍କେତ ମିଳୁଛି। ଇଣ୍ଡିଆ ଟୁଡେ ଏବଂ ଇଣ୍ଡିଆ ଟିଭି ବିଜେପି ବିଜୟ ସପକ୍ଷରେ ରିପୋର୍ଟ ଦେଇଥିବା ବେଳେ କଂଗ୍ରେସ ଜିତିବ ବୋଲି ଏବିପି ଏବଂ ଦୈନିକ ଭାସ୍କର ପୂର୍ବାନୁମାନ କରିଛନ୍ତି। କିନ୍ତୁ ଏନ୍‌ଡିଟିଭିର ପୋଲ୍‌ ଅଫ ପୋଲ୍ସ ଅନୁଯାୟୀ ୧୨୪ ଆସନ ଜିତି ବିଜେପି ସରକାର ଗଠନ କରିବ।

ସୂଚନାଯୋଗ୍ୟ ଯେ ମଧ୍ୟପ୍ରଦେଶରେ ଗତ ବିଧାନସଭା ନିର୍ବାଚନରେ ବିଜେପିର ପରାଜିତ ହୋଇଥିଲା ଏବଂ କଂଗ୍ରେସ ସରକାର ଗଠନ କରିଥିଲା। କିନ୍ତୁ ୧୫ ମାସ ପରେ କଂଗ୍ରେସରେ ବିଭାଜନ ଘଟାଇ ୨୦୨୦ରେ ବିଜେପି କ୍ଷମତାକୁ ଆସିଥିଲା। କମଳନାଥ ସରକାରର ପତନ ଘଟାଇ ଶିବରାଜ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେଲେଙ୍ଗାନାରେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏଥର ବିପର୍ଯ୍ୟୟର ସମ୍ମୁଖୀନ ହେବେ ବୋଲି ଅଧିକାଂଶ ଏକ୍‌ଜିଟ ପୋଲ ଦର୍ଶାଇଛନ୍ତି। ୩ଟି ପୋଲ କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିବ ବୋଲି କହିଥିବା ବେଳେ ଆଉ ଏକ ପୋଲ ତୀବ୍ର ପ୍ରତିଦ୍ବନ୍ଦ୍ବିତାରେ କଂଗ୍ରେସ ସାମାନ୍ୟ ଆଗରେ ରହିବ ବୋଲି କହିଛି। ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍‌ ନମ୍ବର ହେଉଛି ୬୦। ଏନ୍‌ଡିଟିଭିର ପୋଲ୍‌ ଅଫ ପୋଲ୍ସ ଅନୁଯାୟୀ କଂଗ୍ରେସ ୬୨ରେ ବିଜୟୀ ହୋଇ ସରକାର ଗଢ଼ିବ। ବିଆର୍‌ଏସ୍‌କୁ ୪୪ଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିବ।

ରାଜସ୍ଥାନ ୯୦ ଦଶକରୁ ଶାସକ ଦଳ ବିରୋଧରେ ଭୋଟ୍‌ ଦେଇଆସୁଥିବାରୁ ଏଥର ଭୋଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଗଣିତକୁ ଓଲଟପାଲଟ କରିଦେବ ବୋଲି ୭ଟି ସଂସ୍ଥାର ଏକ୍‌ଜିଟ ଫଳାଫଳରୁ ଜଣାପଡ଼ିଛି। ତେବେ ଦୁଇଟି ସଂସ୍ଥାର ଫଳାଫଳ କଂଗ୍ରେସ କ୍ଷମତାରେ ରହିବାର ସମ୍ଭାବନା ଦର୍ଶାଉଛି। ରାଜସ୍ଥାନରେ ୧୯୯ ଆସନରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଏଠାରେ ମ୍ୟାଜିକ୍‌ ନମ୍ବର ହେଉଛି ୧୦୦। ଇଣ୍ଡିଆ ଟୁଡେ ଏବଂ ଇଣ୍ଡିଆ ଟିଭି କଂଗ୍ରେସ କ୍ଷମତାରେ ରହିବ ବୋଲି କହୁଥିବ‌ା ବେଳେ ବିଜେପି କ୍ଷମତାକୁ ଫେରିବ ବୋଲି ଏବିପି ଏବଂ ଦୈନିକ ଭାସ୍କର ପୂର୍ବାନୁମାନ କରିଛନ୍ତି। ତେବେ ଏନ୍‌ଡିଟିଭିର ପୋଲ୍‌ ଅଫ ପୋଲ୍ସ ଅନୁଯାୟୀ ବିଜେପି ୧୦୪ ଏବଂ କଂଗ୍ରେସ ୮୬ ଆସନରେ ବିଜୟୀ ହେବ। ସେହିଭଳି ୪୦ ଆସନ ବିଶିଷ୍ଟ ମିଜୋରାମରେ ବିଜେପି ଏବଂ ଏହାର ସହଯୋଗୀମାନେ କ୍ଷମତାକୁ ଆସିବେ ବୋଲି ୨ଟି ସଂସ୍ଥା ଆକଳନ କରିଥିବା ବେଳେ ଆଉ ୩ଟି ସଂସ୍ଥାର ଏକ୍‌ଜିଟ ପୋଲ ଝୁଲା ବିଧାନସଭା ହେବ ବୋଲି କହିଛି।