ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ଶେଷ ହୋଇଛି ଏବଂ ନିର୍ବାଚନ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଏଜେନ୍ସି ଦ୍ବାରା କରାଯାଇଥିବା ଏକ୍‌ଜିଟ୍‌ ପୋଲ୍‌ (ବୁଥ୍‌ ବାହୁଡ଼ା ମତ) ଆକଳନ ଅନୁଯାୟୀ ଏନ୍‌ଡିଏ ପୁଣି ଥରେ ଐତିହାସିକ ସଫଳତା ହାସଲ କରିବାକୁ ଯାଉଛି। ବିଜେପି ନେତୃତ୍ୱରେ ଏନ୍‌ଡିଏ ସରକାର ଗଠନରେ ହାଟ୍ରିକ୍‌ କରିବା ନିଶ୍ଚିତ ବୋଲି କୁହାଯାଉଛି।ଲୋକସଭାରେ ମୋଟ ୫୪୩ ଟି ଆସନ ରହିଛି ଏବଂ ସଂଖ୍ୟାଗରିଷ୍ଠତା ପାଇଁ ୨୭୨ଟି ଆସନ ଦରକାର। ସର୍ଭେ ଅନୁଯାୟୀ ଏନ୍‌ଡିଏକୁ ୩୫୮, ଇଣ୍ଡି ମେଣ୍ଟକୁ ୧୪୮ ଏବଂ ଅନ୍ୟମାନଙ୍କୁ ୩୭ ଆସନ ମିଳିବାର ସମ୍ଭାବନା ରହିଛି।

Advertisment

ଏହି ନିର୍ବାଚନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି ଏନ୍‌ଡିଏ ମେଣ୍ଟ ଏବଂ ଇଣ୍ଡି ମେଣ୍ଟ ମଧ୍ୟରେ। ଗୋଟିଏ ପଟେ ବିଜେପି ନେତୃତ୍ବରେ ଏନ୍‌ଡିଏ ଏଥର ୪୦୦ ପାର ହେବା ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ବିରୋଧୀ ଦଳଙ୍କ ମେଣ୍ଟ ଏଥର କ୍ଷମତାକୁ ଫେରିବ ବୋଲି ଦାବି କରୁଛି। ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୦ରୁ ଅଧିକ ରାଲି ଏବଂ ନିର୍ବାଚନୀ ସଭା କରିଛନ୍ତି। ‘ଇଣ୍ଡିଆ ନ୍ୟୁଜ୍- ଡି ଡାଇନାମିକ୍ସ’ର ଏକଜିଟ୍ ପୋଲ ଅନୁଯାୟୀ ଏନ୍‌ଡିଏକୁ ୩୭୧ ଲୋକସଭା ଆସନ, ଇଣ୍ଡି ମେଣ୍ଟକୁ ୧୨୫ ଏବଂ ଅନ୍ୟମାନଙ୍କୁ ୪୭ ଲୋକସଭା ଆସନ ମିଳିବ। ‘ଜନ୍‌ କୀ ବାତ୍’ ଏକ୍‌ଜିଟ୍ ପୋଲ୍ ଅନୁଯାୟୀ ଏନ୍‌ଡିଏକୁ ୩୬୨ରୁ ୩୯୨, ଇଣ୍ଡି ମେଣ୍ଟକୁ ୧୪୧ରୁ ୧୬୧ ଏବଂ ଅନ୍ୟମାନଙ୍କୁ ୧୦ରୁ ୨୦ ଆସନ ମିଳିପାରେ। ରିପବ୍ଲିକ୍ ଭାରତ-ମାଟ୍ରିଜ୍ ଏକ୍‌ଜିଟ୍ ପୋଲ୍‌ରେ ଆକଳନ କରାଯାଇଛି ଯେ ଏନ୍‌ଡିଏ ୩୫୩ରୁ ୩୬୮ ଲୋକସଭା ଆସନ ଜିତିପାରେ। ଇଣ୍ଡି ମେଣ୍ଟକୁ ୧୧୮ରୁ ୧୩୩ ଏବଂ ଅନ୍ୟମାନଙ୍କୁ ୪୩ରୁ ୪୮ ଆସନ ମିଳିପାରେ। ‘ରିପବ୍ଲିକ ଟିଭି ଏବଂ ପି-ଏମ୍‌ଏଆର୍‌କ୍ୟୁ’ ସର୍ଭେ ଅନୁଯାୟୀ ଏନ୍‌ଡିଏ କୁ ୩୫୯, ବିରୋଧୀ ଦଳଙ୍କ ଇଣ୍ଡି ମେଣ୍ଟକୁ ୧୫୪ ଏବଂ ଅନ୍ୟାନ୍ୟ ଦଳକୁ ୩୦ଟି ଆସନ ମିଳିବ।

ଦକ୍ଷିଣ ରାଜ୍ୟ, ପଶ୍ଚିମବଙ୍ଗରେ ବିଜେପିର ଭଲ ପ୍ରଦର୍ଶନ
ହିନ୍ଦୀଭାଷୀ ଅଞ୍ଚଳରେ ଏନ୍‌ଡିଏର ଆଧିପତ୍ୟ ବଜାୟ ରହିବ

‘ଦୈନିକ ଭାସ୍କର’ ଏକଜିଟ୍ ପୋଲ୍ ଅନୁଯାୟୀ ଏନ୍‌ଡିଏକୁ ୩୫୩ରୁ ୩୬୮, ଇଣ୍ଡି ମେଣ୍ଟକୁ ୧୪୫ରୁ ୨୦୧ ଏବଂ ଅନ୍ୟମାନଙ୍କୁ ୩୩ରୁ ୪୯ ଆସନ ମିଳିପାରେ। ନ୍ୟୁଜ୍ ନେସନ୍ ଏକ୍‌ଜିଟ ପୋଲ୍ ଆକଳନରେ ଏନ୍‌ଡିଏକୁ ୩୪୨ରୁ ୩୭୮, ଇଣ୍ଡି ମେଣ୍ଟକୁ ୧୫୩ରୁ ୧୬୯ ଏବଂ ଅନ୍ୟମାନଙ୍କୁ ୨୧ରୁ ୨୩ ଆସନ ମିଳିବ ବୋଲି କୁହାଯାଇଛି। ଇଣ୍ଡିଆ ନ୍ୟୁଜ-ପୋଲଷ୍ଟ୍ରାଟର ଏକ୍‌ଜିଟ୍ ପୋଲରେ ଏନ୍‌ଡିଏକୁ ୩୭୧, ଇଣ୍ଡି ମେଣ୍ଟକୁ ୧୨୫ ଓ ଅନ୍ୟମାନଙ୍କୁ ୪୭ ଆସନ ମିଳିବ ବୋଲି ଆକଳନ କରାଯାଇଛି। ଦକ୍ଷିଣ ରାଜ୍ୟ ଓ ପଶ୍ଚିମବଙ୍ଗରେ ଏନ୍‌ଡିଏର ଉନ୍ନତ ପ୍ରଦର୍ଶନକୁ ନେଇ ପ୍ରାୟ ସମସ୍ତ ଏକ୍‌ଜିଟ୍ ପୋଲ ଏକମତ ଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁଙ୍କ ସହ ମେଣ୍ଟ ଫଳପ୍ରଦ ହୋଇଥିବା ବେଳେ ଏନ୍‌ଡିଏକୁ ରାଜ୍ୟର ୨୫ଟି ଆସନରୁ ୧୮ଟି ଆସନ ମିଳିବ ବୋଲି ଆକଳନ କରାଯାଇଛି।

କର୍ଣ୍ଣାଟକ ମଧ୍ୟ ରାଜ୍ୟସ୍ତରରେ କଂଗ୍ରେସକୁ ପସନ୍ଦ କରୁଥିବା ସତ୍ତ୍ୱେ ବିଜେପିକୁ ଅଧିକ ଭୋଟ୍ ଦେବ ବୋଲି ଆଶା କରାଯାଉଛି। ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ବିଧାନସଭା ନିର୍ବାଚନ ବିଜୟ ଏବଂ କେ ଚନ୍ଦ୍ରଶେଖର ରାଓଙ୍କ ବିଆର୍‌ଏସ୍‌ର ପରାଜୟର ଫାଇଦା ଉଠାଇ ନପାରେ ବୋଲି ଏକଜିଟ୍ ପୋଲ୍ ଆକଳନରୁ ଜଣାପଡ଼ିଛି। ରାଜ୍ୟର ୧୭ଟି ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ବିଜେପି ବିଜୟୀ ହେବା ସମ୍ଭାବନା ରହିଛି। ଏପରିକି ଅତି କମରେ ୨ଟି ଆସନ ସହ ବିଜେପି ତାମିଲନାଡ଼ୁରେ ଖାତା ଖୋଲିବ ବୋଲି ଏକ୍‌ଜିଟ୍ ପୋଲ୍ ଆକଳନ କରିଛି। ପଶ୍ଚିମବଙ୍ଗରେ ବିଜେପି ୨୦୧୯ରେ ୧୮ ଟି ଆସନ ହାସଲ କରିଥିବା ବେଳେ ଏବେ ଏହା ୨୨ରେ ପହଞ୍ଚିବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟର ଶକ୍ତିଶାଳୀ ତୃଣମୂଳ କଂଗ୍ରେସକୁ ପ୍ରଥମ ଥର ପାଇଁ ପଛରେ ପକାଇବ। ମମତା ବାନାର୍ଜୀଙ୍କ ଦଳ ରାଜ୍ୟର ୪୨ଟି ଲୋକସଭା ଆସନରୁ ୧୯ଟି ପାଇବା ଆକଳନ କରାଯାଉଛି।

ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଭଳି ଗଡ଼ରେ ମଧ୍ୟ ବିଜେପିର ଆଧିପତ୍ୟ ବଜାୟ ରହିବ। ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ଏବଂ ସହଯୋଗୀ କଂଗ୍ରେସ ପୁଣି ଥରେ ଦିଲ୍ଲୀରେ ଗୋଟିଏ ବି ଆସନ ଜିତିପାରିବେ ନାହିଁ ବୋଲି ଏକ୍‌ଜିଟ୍ ପୋଲ୍ ଆକଳନ କରିଛି। ତେବେ ଗତ ନିର୍ବାଚନରେ ଏନ୍‌ଡିଏକୁ ୪୦ଟି ଆସନରୁ ୩୯ଟି ଆସନ ଦେଇଥିବା ବିହାରରେ ପରିବର୍ତ୍ତନ ଆଶା କରାଯାଉଛି। ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ନେତୃତ୍ବାଧୀନ ବିରୋଧୀ ମେଣ୍ଟ ୭ଟି ଆସନ ହାତେଇବ ବୋଲି ଆକଳନ କରାଯାଇଛି।