ସୀମା ବିବାଦ: ମୋଦୀ-ଟ୍ରମ୍ପ୍‌ ଆଲୋଚନା କଲେ, ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ପ୍ରଧାମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭାରତ ସପକ୍ଷରେ ଆମେ ଦୃଢ଼ ଭାବେ ରହିଛୁ: ଆମେରିକା

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଭାରତ-ଚୀନ୍‌ ସୀମା ବିବାଦ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଟେଲିଫୋନ୍‌ରେ ଆଲୋଚନା ହୋଇଛି। ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି-୭ ସମ୍ମିଳନୀରେ ଯୋଗଦେବାପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପ୍‌ ନିମନ୍ତ୍ରଣ କରିଛନ୍ତି। ଏହି ଆଲୋଚନା ସଂପର୍କରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ଏ ବାବଦ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ଆଜି ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ କହିଛନ୍ତି ଯେ ଚୀନ୍‌ ଭାରତ ସୀମାରେ ସୈନ୍ୟ ମୁତୟନ କରି ଅଯଥା ଉତ୍ତେଜନା ବଢ଼ାଇଛି ଏବଂ ଏହା ଚୀନ୍‌ର ବିସ୍ତାରବାଦୀ ଏବଂ ଆକ୍ରମଣାତ୍ମକ ନୀତିର ପରିଚୟ ଦେଉଛି। ଆମେରିକା ଚୀନ୍‌ର ଏଭଳି ପଦକ୍ଷେପକୁ ବିରୋଧ କରୁଛି ଏବଂ ଆମେ ଭାରତ ସହିତ ଦୃଢ଼ ଭାବେ ରହିଛୁ ବୋଲି ସେ କହିଛନ୍ତି।

ଭାରତ ଓ ଚୀନ୍‌ ମଧ୍ୟରେ ମେଜର ଜେନେରାଲସ୍ତରରେ କଥାବର୍ତ୍ତା ମଧ୍ୟ ଜାରି ରହିଛି। ଆଜି ତୃତୀୟ ପର୍ଯ୍ୟାୟରେ କଥାବର୍ତ୍ତା ସରିଥିବା ବେଳେ କୌଣସି ସମାଧାନ ପନ୍ଥା ବାହାରି ନାହିଁ। ତୃତୀୟ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାରୁ ଆଗକୁ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଉଭୟ ପଟୁ ସେନା ପ୍ରତ୍ୟାହାର ନେଇ କୌଣସି ସଙ୍କେତ ମିଳିନାହିଁ। ଚୀନ୍‌ର ସାମାନ୍ୟତମ ଅତିକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ଭାରତ ପୁଣି ଥରେ ଚେତାଇ ଦେଇଛି। ଉଭୟ ଦେଶ ସୀମାରେ ଟ୍ୟାଙ୍କ, ତୋପ ଓ ଅନ୍ୟ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରିଛନ୍ତି। ଅନ୍ୟପକ୍ଷରେ ଆଜି ଚୀନ୍‌ ଭାରତକୁ ବିଆର୍‌ଆଇ (ବେଲ୍‌ଟ ରୋଡ୍‌ ଇନି‌ସିଏଟିଭ୍‌) ଯୋଜନାର ଲୋଭ ଦେଖାଇଛି। ଭାରତ ଏହି ଯୋଜନାରେ ସାମିଲ ହେଲେ ଏହାର ଦ୍ରୁତ ଆର୍ଥିକ ବିକାଶ ହେବ ବୋଲି ଚୀନ୍‌ ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍‌ସରେ କୁହାଯାଇଛି।

ସମ୍ବନ୍ଧିତ ଖବର