ଜମ୍ମୁ: ସୀମା ଆରପଟୁ ପାକିସ୍ତାନୀ ସେନା ନିୟମିତ ଜାରି ରଖିଥିବା ଅସ୍ତ୍ର ବିରତି ଉଲ୍ଲଂଘନର ଶିକାର ହେଉଥିବା ଜମ୍ମୁ କଶ୍ମୀରବାସୀଙ୍କ ସୁରକ୍ଷା ପାଇଁ ସରକାର ଏବେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାକ୍ ଗୁଳିଗୋଳାରେ କ୍ଷତିଗ୍ରସ୍ତ ହେଉଥିବା ସୀମାନ୍ତ ଭାରତୀୟଙ୍କ ପାଇଁ ୧୪ ହଜାରରୁ ଅଧିକ ପାରିବାରିକ ବାସଯୋଗ୍ୟ ଏବଂ ସାମୂହିକ ଆଶ୍ରୟଯୋଗ୍ୟ ଭୂତଳ ଗୃହ ବା ବଙ୍କର ନିର୍ମାଣ ହେବ ବୋଲି ଜଣାଯାଇଛି। ସେଥିରୁ ନିୟନ୍ତ୍ରଣ ରେଖା ସଂଲଗ୍ନ ପୁଞ୍ଚ ଓ ରାଜୌରି ଜିଲ୍ଲାରେ ୭,୨୯୮ଟି ଏବଂ ଆନ୍ତର୍ଜାତିକ ସୀମା କଡ଼େ କଡ଼େ ଜମ୍ମୁ, କାଠୁଆ ଓ ଲାମ୍ବା ଜିଲ୍ଲାରେ ୭,୧୬୨ଟି ବଙ୍କର ତିଆରି କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି।
ନିୟନ୍ତ୍ରଣରେଖାରେ ନିର୍ମାଣ ହେବ ୧୪,୪୬୦ ବଙ୍କର
ସୂଚନା ଥାଉ କି, ପାକିସ୍ତାନ ସହ ଭାରତର ଦୀର୍ଘ ୩,୩୨୩ କି.ମି. ବ୍ୟାପୀ ସୀମାରେଖା ରହିଛି। ସେଥିରୁ ୨୨୧ କିମି ଆନ୍ତର୍ଜାତିକ ସୀମାରେ ଆସୁଥିବା ବେଳେ ୭୪୦ କିମି.ର ନିୟନ୍ତ୍ରଣ ରେଖା ଜମ୍ମୁ କଶ୍ମୀରରେ ପଡୁଛି। ତେବେ ପ୍ରତିବର୍ଷ ଅଯଥାରେ ସଂଖ୍ୟାଧିକ ଭାରତୀୟ ପାକ୍ ସେନାର ଅସ୍ତ୍ର ବିରତି ଉଲ୍ଲଂଘନର ଶିକାର ହେଉଛନ୍ତି। ଗତ ବର୍ଷ ପାକିସ୍ତାନର ଏପରି ଅସ୍ତ୍ର ବିରତି ଉଲ୍ଲଂଘନ ଦ୍ୱାରା ୧୯ ଜଣ ଭାରତୀୟ ସୈନିକ, ୧୨ ଜଣ ସାଧାରଣ ନାଗରିକ ଏବଂ ୪ ଜଣ ସୀମା ସୁରକ୍ଷା ବଳ ଯବାନଙ୍କ ଜୀବନ ଯିବା ଘଟଣା ଚିନ୍ତାର କାରଣ ପାଲଟିଛି। ଏପରି ଜୀବନହାନିକୁ ଦୃଷ୍ଟିରେ ରଖି ସରକାର ପ୍ରଥମ ପର୍ଯ୍ୟାୟରେ ୪୧୫ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ମୋଟ ୧୪,୪୬୦ଟି ବଙ୍କର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ମଧ୍ୟରୁ ୧୩,୦୨୯ଟି ପାରିବାରିକ ବଙ୍କର ଓ ୧,୪୩୧ଟି ସାମୂହିକ ବା ଗୋଷ୍ଠୀ ବଙ୍କର ନିର୍ମିତ ହେବ ବୋଲି ଜଣାଯାଇଛି। ଯୋଜନା ଅନୁଯାୟୀ, ୧୬୦ ବଗଫୁଟ ପରିମିତ ପ୍ରତି ପାରିବାରିକ ବଙ୍କରରେ ୮ ଜଣ ଲୋକଙ୍କ ରହିବା ସୁବିଧା ଥିବା ବେଳେ ୮୦୦ ବର୍ଗଫୁଟ ପରିମିତ ସାମୂହିକ ବଙ୍କରରେ ୪୦ ପାଖାପାଖି ଲୋକ ଆଶ୍ରୟ ନେଇପାରିବେ। ଏହା ଦ୍ୱାରା ସୀମାନ୍ତ ଭାରତୀୟଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/57ee23dfa7532.jpg)