ବାଂଲାଦେଶ ଓ ଶ୍ରୀଲଙ୍କାରେ କରୋନାର ଭାରତୀୟ ଭାରିଆଣ୍ଟ ମିଳିବାରୁ ୧୪ ଦିନ ପାଇଁ ସୀମା ସିଲ

ଢାକା: ବାଂଲାଦେଶ ଏବଂ ଶ୍ରୀଲଙ୍କାରେ କରୋନା ଭୂତାଣୁର ଭାରତୀୟ ଭାରିଆଣ୍ଟ ସଂକ୍ରମିତ ମାମଲା ଦେଖିବାକୁ ମିଳିଛି। ଏହି ସମସ୍ତ ଲୋକ ନିକଟରେ ଭାରତରୁ ଫେରି ଆସିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ବାଂଲାଦେଶ ଭାରତ ସହ ସୀମା ବନ୍ଦ କରିବାର ସମୟକୁ ଆହୁରି ୧୪ ଦିନ ବଢ଼ାଇ ଦେଇଛି। ଭାରତୀୟ ଭାରିଆଣ୍ଟ ବି.୧.୬୧୭ ଭାବରେ ଜଣାଶୁଣା। ଭାରତରେ କରୋନା ସଂକ୍ରମଣର ଅବସ୍ଥାକୁ ଦୃଷ୍ଟିରେ ରଖି ବାଂଲାଦେଶ ୨୬ ଏପ୍ରିଲରେ ଏହାର ସୀମା ସିଲ୍ କରିଥିଲା ।

ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତ ସହ ସୀମାକୁ ଆଉ ୧୪ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମୁଖପାତ୍ର କହିଛନ୍ତି ଯେ ସୀମା ସିଲ ହେଲେ ବି ଉଭୟ ଦେଶ ମଧ୍ୟରେ ସାମଗ୍ରୀ ପରିବହନ ଜାରି ରହିବ। କୋଭିଡ -୧୯ ପାଇଁ ଗଠିତ ବାଂଲାଦେଶର ଜାତୀୟ ବୈଷୟିକ ପରାମର୍ଶଦାତା କମିଟି (NTAC) ଭାରତର ସ୍ଥିତି ସୁଧାରିବା ପର୍ଯ୍ୟନ୍ତ ସୀମା ବନ୍ଦ କରିବାକୁ ପରାମର୍ଶ ଦେଇଛି।

ଅନ୍ୟପଟେ ଶ୍ରୀଲଙ୍କାର କଲମ୍ବୋରେ ଥିବା ଏକ କ୍ୱାରୀଣ୍ଟିନ ସେଣ୍ଟରରେ ଥିବା ଜଣେ ବ୍ୟକ୍ତି ଏକ ଭାରତୀୟ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ବ୍ୟକ୍ତି ନିକଟରେ ଭାରତରୁ ଫେରି ଆସିଥିଲେ। ସାଂପ୍ରତିକ ସମୟରେ ଶ୍ରୀଲଙ୍କାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଶୁକ୍ରବାର ଦିନ ୧୬ ଜଣଙ୍କର ମୃତ୍ୟୁ ଘଟିଛି, ଯାହାକି ଗୋଟିଏ ଦିନରେ କରୋନା ହେତୁ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି |

ସମ୍ବନ୍ଧିତ ଖବର