ଜୟପୁର: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀରରେ ଭାରତର କ୍ଷେପଣାସ୍ତ୍ର ଆକ୍ରମଣର ଗୋଟିଏ ଦିନ ପରେ ସୀମାନ୍ତ ରାଜ୍ୟ ରାଜସ୍ଥାନ ଓ ପଞ୍ଜାବ ଆଲର୍ଟ ମୋଡ୍ରେ ରହିଛି। ଉଭୟ ରାଜ୍ୟର ସାମରିକ ପ୍ରତିଷ୍ଠାନ ଉପରେ ପାକିସ୍ତାନର ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରାଯାଇଛି।। ପାକିସ୍ତାନ ପୁଣିଥରେ ଏହି ଦୁଇ ରାଜ୍ୟକୁ ଟାର୍ଗେଟ୍ କରିବାକୁ ପ୍ରସ୍ତୁତ ହେଉଥିବାରୁ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ଜନସମାଗମ ଉପରେ କଟକଣା ଲଗାଯାଇଛି। ପାକିସ୍ତାନ ସହ ୧୦୩୭ କିଲୋମିଟର ସୀମା ଥିବା ରାଜସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି। ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ସୀମା ସୁରକ୍ଷା ବଳର ଯବାନମାନଙ୍କୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ଥାନରେ ଯେଉଁମାନେ ରହନ୍ତି ନାହିଁ ସେମାନଙ୍କ ପାଇଁ ସୀମା ନିକଟରେ ଗମନାଗମନ ଉପରେ ମଧ୍ୟ କଟକଣା ଲଗାଇଛନ୍ତି କର୍ତ୍ତୃପକ୍ଷ। ଭାରତୀୟ ବାୟୁସେନା ହାଇଆଲର୍ଟରେ ରହିଛି। ପଶ୍ଚିମ ସେକ୍ଟରରେ ଆକାଶରେ ଲଢୁଆ ବିମାନ ପାଟ୍ରୋଲିଂ କରୁଥିବାରୁ ଯୋଧପୁର, କିଶନଗଡ଼ ଏବଂ ବିକାନେର ବିମାନବନ୍ଦରରୁ ମେ ୯ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖାଯାଇଛି। କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସକ୍ରିୟ ହୋଇଥିବା ଜଣାପଡ଼ିଛି। ସୁଖୋଇ-୩୦ ଏମ୍କେଆଇ ବିମାନ ଗଙ୍ଗାନଗରରୁ କଚ୍ଛର ରନ ପର୍ଯ୍ୟନ୍ତ ଏୟାର ପାଟ୍ରୋଲିଂ କରୁଛି।
ସୁରକ୍ଷା ଦୃଷ୍ଟିରୁ ବିକାନେର, ଶ୍ରୀଗଙ୍ଗାନଗର, ଜୈସଲମେର ଓ ବାରମେର ଜିଲ୍ଲାରେ ସ୍କୁଲ୍ ବନ୍ଦ କରାଯାଇଛି ଏବଂ ଚାଲିଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପୁଲିସ ଓ ରେଳ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସୀମାନ୍ତ ଗ୍ରାମଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି ଏବଂ ଜରୁରିକାଳୀନ ପ୍ରତିକ୍ରିୟା ପାଇଁ ସ୍ଥାନାନ୍ତର ଯୋଜନା ରହିଛି। ସୀମା ନିକଟରେ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ମଧ୍ୟ ସକ୍ରିୟ କରାଯାଇଛି। ଜୈସଲମେର ଓ ଯୋଧପୁର ପାଇଁ ମଧ୍ୟରାତ୍ରିରୁ ଭୋର ୪ଟା ପର୍ଯ୍ୟନ୍ତ ବ୍ଲାକ୍ ଆଉଟ୍ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ପଞ୍ଜାବରେ ସମସ୍ତ ପୁଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ଜନସମାଗମ ଉପରେ କଟକଣା ଲଗାଯାଇଛି। ସୀମାରେ ଉତ୍ତେଜନା ଲାଗି ରହିଥିବାରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି।
ଭାରତୀୟ ଏକଜୁଟ୍ ରୁହ: ମୋଦୀ
ନୂଆଦିଲ୍ଲୀ: ଭାରତର ‘ଅପରେସନ୍ ସିନ୍ଦୂର’ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରଥମ ବାର୍ତ୍ତା ଦେଇ ସମସ୍ତ ଭାରତୀୟଙ୍କୁ ଏକଜୁଟ୍ ରହିବାକୁ କହିଛନ୍ତି। ଆଜି ସର୍ବଦଳୀୟ ବୈଠକ ପୂର୍ବରୁ ଦେଶବାସୀଙ୍କୁ ଏକଜୁଟ୍ ରହିବାପାଇଁ ଏକ ବାର୍ତ୍ତା ମାଧ୍ୟମରେ ମୋଦୀ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ଭାରତୀୟ ଏବେ ଏକଜୁଟ୍ ରହିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତାମାନେ ସରକାରଙ୍କ ପାକ୍ ମୁକାବିଲା ରଣନୀତିକୁ ଦୃଢ଼ ସମର୍ଥନ କରିଛନ୍ତି।