ଲଣ୍ଡନ୍: ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋରିସ ଜନସନ୍। ଶାସକ କନଜରବେଟିଭ୍ ପାର୍ଟିର ନେତା ନିର୍ବାଚିତ ହେବାପରେ ବୋରିସ୍ ପ୍ରଧାନମନ୍ତ୍ରୀ ହେବାନେଇ ବାଟ ଫିଟି ଯାଇଛି। ବୋରିସ୍ କନଜରବେଟିଭ୍ ପାର୍ଟିରେ ୯୨, ୧୫୩ ଭୋଟ୍ ପାଇ ନେତା ନିର୍ବାଚିତ ହୋଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତଥା ବିଦେଶ ସଚିବ ଜେରେମି ହଣ୍ଟ୍ ମାତ୍ର ୪୬,୬୫୬ ଭୋଟ୍ ପାଇଛନ୍ତି। ଥେରେସା ମେ’ ଆସନ୍ତାକାଲି ବର୍କିଂହାମ୍ ପ୍ୟାଲେସ୍ ଯାଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏହାପରେ ପୂର୍ବତନ ବିଦେଶ ସଚିବ ବୋରିସ ଜନସନ୍ ନୂଆ ସରକାର ଗଠନ କରିବେ। ୫୫ ବର୍ଷୀୟ ଜନସନ୍ ବ୍ରିଟେନର ୧୪ ତମ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ବୋରିସ୍ ୨୦୦୮ରୁ ୨୦୧୬ ମଧ୍ୟରେ ଲଣ୍ଡନ୍ର ମେୟର ଥିଲେ। ଜନସନ୍ ନ୍ୟୁୟର୍କରେ ଜନ୍ମ ହୋଇଥିଲେ। ଥେରେସା ମେ’ଙ୍କ ସରକାରରେ ସେ ବିଦେଶ ମନ୍ତ୍ରୀ ନିଯୁକ୍ତ ହୋଇଥିଲେ। ତେବେ ବ୍ରେକ୍ଜିଟ୍ ପ୍ରସଙ୍ଗରେ ଥେରେସାଙ୍କକୁ ବିରୋଧ କରି ସେ ୨୦୧୮ରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ କିଛି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯଦି ବୋରିସ୍ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେମାନେ ସେମାନଙ୍କ ପଦରୁ ଇସ୍ତଫା ଦେଇଦେବେ।
ବୋରିସ୍ ଜନସନ୍ ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)