ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ, ପାଇଲେ ନୂଆ ଜୀବନ

ଚେନ୍ନାଇ: ପାକିସ୍ତାନୀ ଯୁବତୀଙ୍କୁ ମିଳିଲା ଭାରତୀୟଙ୍କ ହୃଦୟ। ପାଇଲେ ନୂଆ ଜୀବନ। ପାକିସ୍ତାନର କରାଚୀରେ ରହୁଥିବା ଜଣେ ଯୁବତୀଙ୍କ ହୃଦୟରେ ସମସ୍ୟା ଥିବା ସହ ଜୀବନ ବଞ୍ଚାଇବା ପାଇଁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ଅସ୍ତ୍ରୋପଚାର ପାଇଁ ୩୫ଲକ୍ଷ ଦରକାର ଥିବା ବେଳେ ପରିବାର ଲୋକଙ୍କ ପାଖରେ ଏତେ ଟଙ୍କା ନଥିଲେ। ଶେଷରେ ଡାକ୍ତର ଓ ଏକ ଟ୍ରଷ୍ଟର ସାହାଯ୍ୟରେ ଯୁବତୀଙ୍କୁ ନୂଆ ଜୀବନ ମିଳିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଯୁବତୀଙ୍କ ନାମ ଆ‌ୟେଶା ରଶନ(୧୯)। ଗମ୍ଭୀର ହୃଦ ସମସ୍ୟା ଥିବା ଜଣାପଡ଼ିବା ପରେ ପରିବାର ଲୋକେ ଆ‌ୟେଶାଙ୍କୁ ଚେନ୍ନାଇର ଏମଜିଏମ ହେଲଥକେୟାରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଖରାପ ହେବାରୁ ହୃଦୟ ପ୍ରତିରୋପଣ ହିଁ ଏକମାତ୍ର ବାଟ ବୋଲି କହିଥିଲେ ଡାକ୍ତର। ପରିବାର ହୃଦୟ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବାକୁ ଥିବା ୩୫ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ବୋଲି କହିବା ପରେ ଅସ୍ତ୍ରୋପଚାର କରୁଥିବା ଡାକ୍ତର ଓ ଟ୍ରଷ୍ଟ ଏହି ଖର୍ଚ୍ଚ ଉଠାଇବାକୁ ନିଷ୍ପତ୍ତି ନେଇଥିଲେ।

ଏହା ପରେ ପ୍ରତିରୋପଣ ପାଇଁ ହୃଦୟ ଖୋଜିବା ଆରମ୍ଭ କରାଯାଇଥିଲା। ଶେଷରେ ଦିଲ୍ଲୀରୁ ହୃଦୟ ଆସି ଆୟେଶାଙ୍କ ଦେହରେ ଲାଗିଥିଲା। ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ କହିବା ମୁତାବକ, ଡୋନର ଖୋଜିବା ପାଇଁ ବେଶୀ ସମୟ ଲାଗିନଥିଲା। ସହଜରେ ଆୟେଶାଙ୍କୁ ଦିଲ୍ଲୀରୁ ଡୋନର ମିଳିଥିଲେ। ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଅଛନ୍ତି ଏବଂ ପାକିସ୍ତାନ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।

ସମ୍ବନ୍ଧିତ ଖବର