୨୭ ବର୍ଷ ପରେ ମାଆର ସନ୍ଧାନ ପାଇଲା ଅନାଥ ଆଶ୍ରମରେ ବଢ଼ିଥିବା ପୁଅ ! ଡିଏନ୍‌ଏ ପରୀକ୍ଷାରୁ ଧରାପଡ଼ିଲା ବାପା, ଆଉ ଜଣେ ଦୁଷ୍କର୍ମକାରୀ ଲୁଚିଛି ଓଡ଼ିଶାରେ

ବରେଲି: ପ୍ରାୟ ଦୁଇ ଦଶନ୍ଧି ପରେ ନ୍ୟାୟ ପାଇବାକୁ ଅଣ୍ଟା ଭିଡ଼ିଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ତାହା ପୁଣି ସମ୍ଭବ ହୋଇଛି ଦୁଷ୍କର୍ମ ପରେ ଜାତ ହୋଇଥିବା ତାଙ୍କ ପୁଅ କାରଣରୁ। ଚଳଚ୍ଚିତ୍ରର କାହାଣୀ ପରି ଲାଗୁଥିବା ଏହି ସତ ଘଟଣାଟି ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ବାସ୍ତବ ଜୀବନରେ ବି ଏପରି ହୋଇପାରେ ବୋଲି ଆପଣ କେବେ କଳନା କରି ନଥିବେ। ତେବେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ୨ ଭାଇଙ୍କ ମଧ୍ୟରୁ ଜଣେ ହାଇଦ୍ରାବାଦ୍‌ରୁ ଧରାପଡ଼ିଥିବା ବେଳେ ଅନ୍ୟ ଜଣେ ଓଡ଼ିଶାରେ ଥିବା ସୂଚନା ରହିଛି।

ଘଟଣାଟି ହେଉଛି ୧୯୯୪ ମସିହାର। ଜଣେ  ନାବାଳିକା ୨ ଜଣ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହୋଇଥିଲେ। ତା’ପରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପୀଡ଼ିତା ଜଣକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଉକ୍ତ ୨ ଦୁଷ୍କର୍ମକାରୀ ତାଙ୍କୁ ଆସି ଧମକଚମକ ଦେଇ ଶିଶୁଟିକୁ ଅନାଥ ଆଶ୍ରମରେ ଛାଡ଼ିବାକୁ ବାଧ୍ୟ କରିଥିଲେ। ଶେଷରେ ସେହିପରି ହିଁ ଘଟିଲା। ଶିଶୁଟି ବାପାମାଆ ସ୍ନେହ ମମତାରୁ ବଞ୍ଚିତ ହୋଇ ଅନାଥ ଆଶ୍ରମରେ ବଢ଼ିଲା ଓ ଜଘନ୍ୟ ଅପରାଧ ପରେ ମୁକ୍ତ ଭାବେ ବାହାରେ ବୁଲିଲେ ୨ ଦୁଷ୍କର୍ମକାରୀ ଭାଇ।

ମାତ୍ର ଯେପରି ଆପଣ ଜାଣିଛନ୍ତି ଯେ ସୁକର୍ମ ଫଳ ମିଳୁ କି ନମିଳୁ, କୁକର୍ମର ଫଳ ନିଶ୍ଚୟ ମିଳେ। ପିଲାଟି ବଡ଼ ହେଲା। ନିଜର ପରିଚୟ ଖୋଜିଲା। ଜାଣିବାକୁ ଚାହିଁଲା ମୋ ମାଆ କିଏ? ମୋ ବାପା କିଏ? ମୁଁ ଅନାଥ ଆଶ୍ରମରେ କାହିଁକି? ଏତେ ସବୁ ପ୍ରଶ୍ନ ଭିତରେ ଶେଷର ୨୭ ବର୍ଷ ପରେ ସେ ନିଜ ମାଆଙ୍କ ସନ୍ଧାନ ପାଇଲା। ମାଆଙ୍କୁ ପାଇବା ପରେ ମୋ ବାପା କିଏ ବୋଲି ବଡ଼ ହୋଇ ଯାଇଥିବା ପୁଅଟି ପ୍ରଶ୍ନ କରିବା ପରେ ପୁଣି ଥରେ ବନ୍ଦ ହୋଇ ଯାଇଥିବା ସେହି କଳଙ୍କିତ ଅଧ୍ୟାୟ ଖୋଲି ହୋଇଗଲା। ଏହାପରେ ପୀଡ଼ିତା ପୁଅକୁ ସତ କହିବାକୁ ବ‌ାଧ୍ୟ ହେଲେ ଓ ଥାନାରେ ମାମଲା ବି ରୁଜ୍ଜୁ କଲେ। ମାତ୍ର ତଦନ୍ତକୁ ସହଯୋଗ କଲେ ନାହିଁ ଅଭିଯୁକ୍ତ। ଆରୋପ ମିଥ୍ୟା ବୋଲି କହି ଫାଙ୍କିଦେଲେ। ଏହାପରେ ପୁଲିସ ପକ୍ଷରୁ ଡିଏନଏ ଟେଷ୍ଟ କରାଗଲା ଓ ପୁଅର ବାପାକୁ ଚିହ୍ନଟ କରାଗଲା। ଏହି ପ୍ରକ୍ରିୟା ଭିତରେ ଫେରାର ହୋଇଗଲେ ଦୁଇ ଅପରାଧୀ।

ନିକଟରେ ପୁଲିସ୍‌ ୪୮ ବର୍ଷୀୟ ଜଣେ ଅଭିଯୁକ୍ତ ନାକି ହସନକୁ ହାଇଦ୍ରାବାଦ୍‌ରୁ ଗିରଫ କରିଛି । କେବଳ ସେତିକି ନୁହେଁ, ସେ ‌ଯେ ଶିଶୁଟିର ବାପା ତାହା ଡିଏନ୍‌ଏ ଟେଷ୍ଟ୍‌ ପରେ ପ୍ରମାଣିତ ବି ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଆମ ରାଜ୍ୟ ଓଡ଼ିଶାରେ ଆତ୍ମଗୋପନ କରିଥିବା‌ କୁହାଯାଉଛି।

୨୦୨୧ ମସିହା ମାର୍ଚ ୪ ତାରିଖରେ ମାମଲା ରୁଜୁ ହେବା ପରେ ଏହି ଘଟଣାଟି ସାମ୍ନାକୁ ଆସିଛି। ଜାଣିବାକୁ ମିଳିଛି ଯେ ନାବାଳିକାଙ୍କୁ ସେ ସମୟରେ ଏକାଧିକ ବାର ଦୁଷ୍କର୍ମ ହୋଇଛି। ମାର୍ଚ ମା‌ସରେ ମାମଲା ରୁଜୁ ହେବା ପରେ ଜୁଲାଇରେ ଅଭିଯୁକ୍ତଙ୍କ ଡିଏନ୍‌ଏ ନମୁନା ପଠାଯାଇଥିଲା ଓ ୨୦୨୨ ଏପ୍ରିଲ୍‌ରେ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସମ୍ବନ୍ଧିତ ଖବର