‘ମାଲିକ ବନାମ କର୍ମଚାରୀ’: ଜିତିଲେ କର୍ମଚାରୀ, ପାଇଲେ ୩୦ ଲକ୍ଷର କ୍ଷତିପୂରଣ

ଲଣ୍ଡନ: ଜଣେ କର୍ମଚାରୀ ନିଜ ମାଲିକ ଦ୍ୱାରା ବହୁତ ଦିନ ଧରି ହଇରାଣ ହରକତ ହୋଇଥିଲେ। ଦିନେ ଯେତେବେଳେ କର୍ମଚାରୀ ମାଲିକଙ୍କ କଥା ମାନିବାକୁ ମନା କରିଦେଲେ, ତାଙ୍କୁ କିଛି ମାସ ପରେ ଜବରଦସ୍ତ ଚାକିରିରୁ ବରଖାସ୍ତ କରାଯାଇଥିଲା। ‘ମାଲିକ ବନାମ କର୍ମଚାରୀ’ଙ୍କ ଏହି ଯୁଦ୍ଧରେ ଶେଷରେ କର୍ମଚାରୀ ଜିତିଛନ୍ତି । ମାଲିକଙ୍କ ଉପରେ ଆହୁରି ମଧ୍ୟ ଅଭିଯୋଗ ହୋଇଥିଲା ଯେ କର୍ମଚାରୀ ଜଣଙ୍କ ସମଲିଙ୍ଗୀ ହୋଇଥିବାରୁ ସେ ପ୍ରତିଦିନ ତାଙ୍କୁ ଥଟ୍ଟା କରୁଥିଲେ।

କ୍ରିସ୍ ୱିଲିୟମ୍ସ ନାମକ ଜଣେ ବ୍ୟକ୍ତି ଲଣ୍ଡନରେ ‘ଷ୍ଟୋ ବ୍ରଦର୍ସ’ କମ୍ପାନିର ପ୍ରୋପଟି ମ୍ୟାନେଜମେଣ୍ଟ ବିଭାଗରେ କାର୍ଯ୍ୟ କରୁଥିଲେ। ‘ଷ୍ଟୋ ବ୍ରଦର୍ସ’ କମ୍ପାନି ସମ୍ପତ୍ତି କିଣା ବିକା କରିବା କାରବାର କରେ। ଚାରି ବର୍ଷ କାମ କରିବା ପରେ ଲଣ୍ଡନରେ ଏହି କମ୍ପାନି ସହିତ ତାଙ୍କର ମତଭେଦ ହୋଇଥିଲା।

ସୂଚନା ଅନୁଯାୟୀ, ମେ ୨୦୧୯ରେ ଜଣେ ବ୍ୟକ୍ତି କାଗଜପତ୍ର ବିନା ଷ୍ଟୋ ବ୍ରଦର୍ସ ପ୍ରୋପଟିରେ ରହିଥିଲେ । ସେ ସେହି ପ୍ରୋପଟିର ଭଡା ମଧ୍ୟ ସେ ଦେଇ ନଥିଲେ। ଏଭଳି ପରିସ୍ଥିତିରେ ପ୍ରୋପଟିର ଜମି ମାଲିକଙ୍କୁ ଭଡା ଦେବାକୁ ‘ଷ୍ଟୋ ବ୍ରଦର୍ସ’ କମ୍ପାନି ଉପରେ ଚାପ ପଡିଥିଲା। ଯେତେବେଳେ ଏହି ଘଟଣା ଜଣାପଡିଲା କମ୍ପାନିର ନିର୍ଦ୍ଦେଶକ ଆଣ୍ଡ୍ରିୟୁ ଗଡ କର୍ମଚାରୀ କ୍ରିସ୍ ୱିଲିୟମ୍ସଙ୍କୁ କାଗଜପତ୍ର ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ କହିଥିଲେ। କିନ୍ତୁ କ୍ରିସ୍ ଏହା କରିବାକୁ ମନା କରିଦେଇଥିଲେ। ଆଣ୍ଡ୍ରିୟୁ ଏଥିରେ ରାଗି ଯାଇଥିଲେ ଏବଂ ପରେ ଅନ୍ୟ କର୍ମଚାରୀଙ୍କ ସାମ୍ନାରେ କ୍ରିସ୍ ଙ୍କୁ ଅପମାନିତ କରିବା ଆରମ୍ଭ କରିଥିଲେ । ଏହିପରି ଅପମାନ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା​​।

ୱିଲିୟମ୍ସ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଏହି ସମୟ ମଧ୍ୟରେ ସେ କେବଳ ଅପମାନିତ ହୋଇନାହାନ୍ତି, ବରଂ ତାଙ୍କର ଦରମା ମଧ୍ୟ ବୃଦ୍ଧି ହୋଇନାହିଁ । ୱିଲିୟମ୍ସଙ୍କୁ କୌଣସି ପୁରସ୍କାର ବିତରଣ ଉତ୍ସବରେ ମଧ୍ୟ ନିମନ୍ତ୍ରଣ କରାଯାଉ ନଥିଲା। ଶେଷରେ ୱିଲିୟମ୍ସଙ୍କ ନାମରେ ତାଙ୍କ ମାଲିକ ଅଭିଯୋଗ କରିଥିଲେ ଯେ ସେ ଅଫିସ୍ କମ୍ପ୍ୟୁଟରରୁ ଇମେଲ ଡିଲିଟ୍ କରିଛନ୍ତି। ଏଥି ସହିତ, ଫେବ୍ରୁଆରି ୨୦୨୧ରେ ତାଙ୍କୁ ଚାକିରିରୁ ମଧ୍ୟ ବରଖାସ୍ତ କରାଯାଇଥିଲା। ଏହାପରେ ୱିଲିୟମ୍ସ ତାଙ୍କ ମାଲିକଙ୍କ ବିରୋଧରେ ଟ୍ରିବ୍ୟୁନାଲରେ ହଇରାଣ ଓ ଭେଦଭାବ କରିଥିବା ଅଭିଯୋଗ ଆଣିଥିଲେ। ୱିଲିୟମ୍ସ ଏହା ମଧ୍ୟ କହିଛନ୍ତି ଯେ ସମଲିଙ୍ଗୀ ହୋଇଥିବାରୁ ତାଙ୍କୁ ପରିହାସ କରାଯାଇଥିଲା।

ଏହାପରେ ଟ୍ରିବ୍ୟୁନାଲ ପ୍ୟାନେଲ ମାମଲାର ଶୁଣାଣି ସମୟରେ ୱିଲିୟମ୍ସଙ୍କୁ କରାଯାଇଥିବା ବ୍ୟବହାରକୁ ଅନ୍ୟାୟ ବୋଲି ବିବେଚନା କରିଥିଲେ। ଏଥିସହ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର