ସଂସଦରେ ଆରମ୍ଭରୁ ଦରଦାମ୍‌ ତାତି: ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ଗୃହ ମୁଲତବୀ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ବିରୋଧୀ ଦଳଗୁଡ଼ିକ ଦେଶରେ ଦରଦାମ ଓ ଜିଏସଟି ବୃଦ୍ଧି ସହିତ ସେନାର ଅଗ୍ନିପଥ ଯୋଜନା ଆଦି ପ୍ରସଙ୍ଗ ନେଇ ହୋହଲ୍ଲା କରିଛନ୍ତି। ଫଳରେ ମଙ୍ଗଳବାର ପର୍ଯ୍ୟନ୍ତ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ରଖାଯାଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ସଂସଦରେ ସେମାନେ ଖୋଲାମନରେ ଆଲୋଚନା କରନ୍ତୁ। ଅଧିବେଶନକୁ ଯଥାସମ୍ଭବ ଫଳପ୍ରଦ କରନ୍ତୁଏବଂ ଜାତୀୟ ସ୍ବାର୍ଥ ପ୍ରସଙ୍ଗରେ ଅଧିବେଶନର ସଂପୂର୍ଣ୍ଣ ଉପଯୋଗ କରନ୍ତୁ। ରାଜ୍ୟସଭାରେ ଆଜି କଂଗ୍ରେସ, ସିପିଆଇ, ସିପିଏମ୍‌, ଆପ୍ ସାଂସଦମାନେ କେତେକ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ସିପିଆଇ ସାଂସଦ ବିଜୟ ବିଶ୍ବନାଥ, କଂଗ୍ରେସ ସାଂସଦ ଶକ୍ତିସିଂହ ଗୋହିଲ, ଦିପିନ୍ଦର ସିଂହ ହୁଡା ଅଗ୍ନିପଥ ଯୋଜନା ସଂପର୍କରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିଙ୍ଗାପୁର ଗସ୍ତ କରିବାକୁ ଦିଆଯାଉ ନଥିବାରୁ ଏ ସଂପର୍କରେ ଆଲୋଚନା ପାଇଁ ଆପ ସାଂସଦ ସଂଜୟ ସିଂହ ନୋଟିସ ଦେଇଥିଲେ। ରାଜ୍ୟସଭାରେ ସିପିଏମ ନେତା ଇଲାମରାମ କରିମ ଦରଦାମ ବୃଦ୍ଧି ଏବଂ ଅତ୍ୟବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ପ୍ରସଙ୍ଗରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ସଦସ୍ୟମାନଙ୍କୁ ଶାନ୍ତି ବଜାୟ ରଖିବା ଲାଗି ବାରମ୍ବାର କହିଲେ ମଧ୍ୟ ପରିସ୍ଥିତି ନସୁଧୁରିବାରୁ ସେ ଗୃହକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାଲାଗି ପ୍ରଥମେ ଲୋକସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। କିନ୍ତୁ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଜାରି ରହିବାରୁ ଅପରାହ୍ଣରେ ଅଧିବେଶନ ଆରମ୍ଭ ହେବା ମାତ୍ରାରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହାରି ଭିତରେ ଆଜି ଲୋକସଭାରେ ପରିବାର ଅଦାଲତ ସଂଶୋଧନ ବିଲ୍ ଆଗତ କରିଛନ୍ତି। କେନ୍ଦ୍ର ସରକାର ଚଳିତ ଅଧିବେଶନରେ ମୋଟ ୨୪ଟି ବିଲ୍ ଉପସ୍ଥାପନ କରିବା ଯୋଜନା ରଖିଛନ୍ତି। ସେଥିରେ କ୍ୟାଣ୍ଟନମେଣ୍ଟ ବିଲ, ବହୁରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍ ଏବଂ ଆଇବିସି ସଂଶୋଧନ ବିଲ୍ ଆଦି ରହିଛି। ଦିବଂଗତ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ୟୁଏଇର ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫା ବିନ୍ ଜାୟେଦ ଅଲ ନାହ୍ୟାନ, କେନିୟାର ତୃତୀୟ ରାଷ୍ଟ୍ରପତି ଏମୱାଇ କିବାକିଙ୍କ ସମେତ ବିଶିଷ୍ଟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତଜ୍ଞ ଶିବକୁମାର ଶର୍ମା ପ୍ରମୁଖଙ୍କୁ ଉଭୟ ଗୃହରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ସମ୍ବନ୍ଧିତ ଖବର