ବନ୍ଧୁକରୁ ଗୁଳି କରି ନିଜ ଜୀବନ ଶେଷ କରିଦେଲେ ଯବାନ, ଗାଁରେ ଦଉଡି ଲଗାଇ ପତ୍ନୀଙ୍କ ଆତ୍ମହତ୍ୟା

ରାୟପୁର: ବାହାଘରକୁ ମାତ୍ର ତିନି ମାସ ପୁରିଥିଲା | ସ୍ୱାମୀ ସିଆରପିଏଫର ଯବାନ ଥିବାବେଳେ ପତ୍ନୀ ଶାଶୁ ଘରେ ରହୁଥିଲେ | ତେବେ ମୋବାଇଲରେ କଥା ହେବାର କିଛି ସମୟ ପରେ ନିଜ ସର୍ଭିସ ରାଇଫଲରୁ ସ୍ୱାମୀ ଜଣକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବାବେଳେ ଘରେ ଥିବା ପତ୍ନୀ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି | ଛତିଶଗଡର ବିଳାସପୁର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଗାଡଚିରୋଲିରେ ସ୍ୱାମୀ ଆତ୍ମହତ୍ୟା କରିଥିବାବେଳେ ପତ୍ନୀ ବିଳାସପୁର ଘରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ଏହି ଦମ୍ପତି ପରସ୍ପର ସହ ଫୋନରେ କଥା ହୋଇଥିଲେ ।

ଫୋନରେ କଥାବାର୍ତ୍ତା ପରେ ଉଭୟ ଆତ୍ମହତ୍ୟା କରିଥିଲେ | ପାଚପେଡି ଥାନା ଅଧିକାରୀ ପ୍ରବୀଣ ସିଂ ରାଜପୁତଙ୍କ ସୂଚନା ମୁତାବକ ବିଳାସପୁରର କୁକୁରଦିକେରା ନିବାସୀ ଚନ୍ଦ୍ରଭୂଷଣ ଜଗତ (୨୫) ସିଆରପିଏଫ ୧୧୩ ବାଟାଲିୟନରେ ଯବାନ ଥିବାବେଳେ ମହାରାଷ୍ଟ୍ରର ଗଡଚିରୋଲିରେ ସେ ମୁତୟନ ଥିଲେ | ତିନିମାସ ପୂର୍ବେ ୟାମିନୀ ଜଗତ (୨୨)ଙ୍କ ସହ ତାଙ୍କର ବିବାହ ହୋଇଥିଲା | କିଛି ଦିନ ପରେ ଚନ୍ଦ୍ରଭୂଷଣ ଡ୍ୟୁଟିରେ ଗାଡଚିରୋଲି ଫେରି ଆସିଥିଲେ।

ଏହି ସମୟରେ ଦୁହେଁ ଫୋନରେ କଥା ହେଉଥିଲେ। ପୁଲିସର ସୂଚନାନୁସାରେ ଗୁରୁବାର ଦିନ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଆଉ କଥାବାର୍ତ୍ତା ହେବା ପରେ ଚନ୍ଦ୍ରଭୂଷଣ ଗଡଚିରୋଲିରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ପତ୍ନୀ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ | ତେବେ ଉଭୟଙ୍କ ମଧ୍ୟରେ କ’ଣ ଘଟିଛି ତାହା ଜାଣିବାକୁ ପୁଲିସ ଚେଷ୍ଟା କରୁଛି |

ସମ୍ବନ୍ଧିତ ଖବର