ନୂଆଦିଲ୍ଲୀ,: ପରମାଣୁ ଯୁଦ୍ଧ ଆଶଙ୍କାର ବଳୟ ଭିତରେ ଥିବା କୋରିଆ ଉପଦ୍ୱୀପରେ ଏବେ ସ୍ଥିତି ବଦଳୁଛି। ଦୁଇ ପରମ ଶତ୍ରୁ ରାଷ୍ଟ୍ର ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ଭିତରେ ଆଜି ଉଚ୍ଚସ୍ତରୀୟ ଶାନ୍ତି ଆଲୋଚନା ଆରମ୍ଭ ହୋଇଥିବା ବେଳେ ସାମରିକ ବିବାଦ ତୁଟାଇବା ନେଇ ମଧ୍ୟ ଉଭୟ ଦେଶର ଶୀର୍ଷ ନେତୃତ୍ୱ ଆଲୋଚନା କରିବେ ବୋଲି ସହମତି ପ୍ରକାଶ ପାଇଛି। ସାମରିକ ବିବାଦର ମୂଳ କାରଣଗୁଡ଼ିକୁ ଚଳିତ ଶାନ୍ତି ଆଲୋଚନାରେ ଚିହ୍ନଟ କରାଯାଇ ବିହୀତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉତ୍ତର କୋରିଆ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ଏ ବାବଦରେ ଅଧିକ ଆଲୋଚନା ପାଇଁ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏବଂ ଶାନ୍ତି ପ୍ରୟାସକୁ ସମର୍ଥନ କରୁଥିବା ଗୋଷ୍ଠୀକୁ ଉତ୍ତର କୋରିଆ ଖୁବ୍‌୍‌ଶୀଘ୍ର ଦକ୍ଷିଣ କୋରିଆକୁ ପଠାଇବ ବୋଲି ଆଜି ଘୋଷଣା କରାଯାଇଛି। ଉତ୍ତର କୋରିଆକୁ ଯଦି ତୁରନ୍ତ ଆଣବିକ ନିରସ୍ତ୍ରୀକରଣ ପାଇଁ ଚାପ ସୃଷ୍ଟି କରାନଯାଏ ତା’ହେଲେ ଏହି ଆଲୋଚନା ଫଳପ୍ରଦ ହେବ ବୋଲି କୋରିଆ ବ୍ୟପାର ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ଉଭୟ ରାଷ୍ଟ୍ରର ଶାନ୍ତି ଆଲୋଚନା ଉପରେ ପୂରା ବିଶ୍ୱର ନଜର ରହିଛି।
ଉତ୍ତର କୋରିଆ ପଟୁ ପରମାଣୁ ଆକ୍ରମଣ ଆଶଙ୍କା ହ୍ରାସ ପାଇଲେ ହିଁ ଦକ୍ଷିଣ କୋରିଆ ଏବଂ ଜାପାନ ସହ ଏହାର ତିକ୍ତ ସଂପର୍କରେ କିଛିମାତ୍ରାରେ ସୁଧାର ଆସିବ ବୋଲି ଦୁଇ ଦେଶର ନାଗରିକ ସମାଜ ମତ ଦେଉଛନ୍ତି। ଉତ୍ତର କୋରିଆ ସହ କୂଟନୈତିକ ଆଲୋଚନା ପାଇଁ ୪ ମାସ ଧରି ଚାଲିଥିବା ପ୍ରୟାସ ଏବେ ସକରାତ୍ମକ ଦିଗରେ ଗତି କରୁଛି। ସହ ଶାନ୍ତି ଆଲୋଚନା ସଫଳ ହେଲେ ପରମାଣୁ ଯୁଦ୍ଧ ଆଶଙ୍କା ମଧ୍ୟ ଟଳିବ ବୋଲି ଆମେରିକୀୟ କୂଟନୀତିଜ୍ଞମାନେ କହିଛନ୍ତି। ଗୋଟିଏ ପଟେ ଏହା କୋରିଆ ଉପଦ୍ୱୀପକୁ ଛାରଖାର ହେବାରୁ ରକ୍ଷା କରିବ ଓ ଅନ୍ୟପଟେ ବିଶ୍ୱ ଶାନ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି କୁହାଯାଇଛି।

Advertisment

ଉତ୍ତର କୋରିଆର କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଉଭୟ ଜାପାନ ଏବଂ ଦକ୍ଷିଣ କୋରିଆ ଆମେରିକାର ଥାଡ୍‌ କ୍ଷେପଣାସ୍ତ୍ର ବ୍ୟବସ୍ଥା ମୁତୟନ କରିଛନ୍ତି। ଉତ୍ତର କୋରିଆ ତା’ର ସମସ୍ତ ପରମାଣୁ ଅସ୍ତ୍ରକୁ ବ୍ୟବହାର ନିମନ୍ତେ ପ୍ରସ୍ତୁତ କରି ରଖିବା ସହ ଆଇସିବିଏମ୍‌ କ୍ଷେପଣାସ୍ତ୍ରଗୁଡ଼ିକୁ ଦକ୍ଷିଣ କୋରିଆ, ଜାପାନ ଏବଂ ଆମେରିକା ଆଡ଼କୁ ମୁହାଁଇ ମୁତୟନ କରିଛି। ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ଆଜିଠାରୁ ଆରମ୍ଭ ହୋଇଥିବା କଥାବାର୍ତ୍ତା ନିର୍ଣ୍ଣାୟକ ହେବ ବୋଲି ଆଶା କରାଯାଉଛି।
ଦକ୍ଷିଣ କୋରିଆ ଏବଂ ଜାପାନ ସହ ଏବେ ଆମେରିକା ରଣନୀତିକ ଆଲୋଚନା ଜାରି ରଖିଛି ଏବଂ ପ୍ରତିରକ୍ଷା ସଚିବ ଜେମ୍‌ସ ମାଟିସ କୋରିଆ ଉପଦ୍ୱୀପର ସ୍ଥିତି ନେଇ କଡ଼ା ନଜର ରଖିଛନ୍ତି।

ଉତ୍ତର କୋରିଆ ୨୦୧୭ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ବହୁ ସଂଖ୍ୟାରେ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷା କରିଛି। ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଲଗାତାର ପରମାଣୁ ଯୁଦ୍ଧ ଧମକ ଦେଇ ଚାଲିବା ସହ ଏଥିପାଇଁ ଆମେରିକାକୁ ଦାୟୀ କରୁଥିବାରୁ ଉତ୍ତେଜନା ଏବେ ବି ବଳବତ୍ତର ରହିଛି। ଉତ୍ତର କୋରିଆର ପ୍ରାଧାନ୍ୟକୁ ଗୁରୁତ୍ୱହୀନ କରିବା ଲାଗି ଆମେରିକା ଷଡ଼ଯନ୍ତ୍ର ଚଳାଇ ଆସିଛି ବୋଲି ଉତ୍ତର କୋରିଆ ଅଭିଯୋଗ କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ୍‌ ମଧ୍ୟ ଉତ୍ତର କୋରିଆକୁ ମୂଳପୋଛ କରିବା ପାଇଁ ଜାତିସଂଘ ଉଦ୍‌୍‌ବୋଧନରେ କହିଥିଲେ। ଉତ୍ତର କୋରିଆ କୌଣସି କଟକଣା କିମ୍ବା ବିଶ୍ୱ ନେତାଙ୍କ ଉଦ୍‌ବେଗକୁ ଖାତିର କରିବାର କୌଣସି ନଜିର ନାହିଁ। ଏଭଳି ସ୍ଥିତିରେ ଶାନ୍ତି ଆଲୋଚନା ଆରମ୍ଭ ହେବାଦ୍ୱାରା ଆଶାର କିରଣ ସୃଷ୍ଟି ହୋଇଛି।