ସାରାଦେଶରେ ନାଗରିକତା (ସଂଶୋଧନ) ଆଇନ, ଏନଆରସି ନିଶ୍ଚିତ ଲାଗୁ ହେବ : ନଡ୍ଡା

ନୂଆଦିଲ୍ଲୀ : ନାଗରିକତା ଆଇନକୁ ନେଇ ଦେଶର ବିଭିନ୍ନ ସହରରେ ପ୍ରବଳ ଆନ୍ଦୋଳନ ଚାଲିଥିବା ସତ୍ତ୍ୱେ କେନ୍ଦ୍ରରେ ଶାସନ କରୁଥିବା ମୋଦୀ ସରକାର ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନାହାନ୍ତି । ଆଜି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି.ନଡ୍ଡା କହିଛନ୍ତି ଯେ ସାରା ଦେଶରେ ନାଗରିକତା (ସଂଶୋଧନ) ଆଇନ ଓ ଏନଆରସି ଲାଗୁ ହେବ ।

ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ ଓ ଶିଖ ଶରଣାର୍ଥୀମାନଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ଭାରତର ପଡ଼ୋଶୀ ଦେଶମାନଙ୍କରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରାଯାଉଥିବାବେଳେ ବିରୋଧୀ ଦଳମାନେ ଭୋଟବ୍ୟାଙ୍କ ରାଜନୀତିରେ ବ୍ୟସ୍ତ ଅଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳମାନେ ଏହି ନୂଆ ଆଇନକୁ ବିରୋଧ କରୁଛନ୍ତି ।

ସେ କହିଛନ୍ତି ଯେଉଁମାନେ ଏହି ଆଇନକୁ ବିରୋଧ କରୁଛନ୍ତି ସେମାନେ ପଡ଼ୋଶୀ ଦେଶରୁ ଅତ୍ୟାଚାରିତ ହୋଇ ଭାରତକୁ ଆସିଥିବା ଶରଣାର୍ଥୀମାନଙ୍କୁ ଭେଟିବା ଉଚିତ । ଏହି ଲୋକମାନେ ଗତ ୨୫-୩୦ ବର୍ଷ ହେଲା ଭାରତରେ ରହୁଥିଲେ ମଧ୍ୟ ସେମାନେ ନିଜ ପିଲାମାନଙ୍କୁ ସ୍କୁଲ ପଠାଇପାରୁନାହାନ୍ତି, ଘର କିଣିପାରୁନାହାନ୍ତି, ବ୍ୟାଙ୍କ ଖାତା ଖୋଲିପାରୁନାହାନ୍ତି, କାରଣ ସେମାନଙ୍କର ନାଗରିକତା ନାହିଁ । ନୂଆ ଆଇନ ମାଧ୍ୟମରେ ସେମାନଙ୍କୁ ନାଗରିକତା ମିଳିପାରିବ ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର