କେଦାରନାଥରେ ପର୍ବତରୁ ପଥର ଖଣ୍ଡ ଖସି ରାସ୍ତାରେ ପଡ଼ିବାରୁ ୩ ମୃତ, ୭ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଠାରେ ପର୍ବତ ଉପରୁ ପ୍ରକାଣ୍ଡ ପଥର ଖସି ରାସ୍ତାରେ ପଡ଼ିବାରୁ କେତୋଟି ଗାଡ଼ିରେ ମାଡ଼ ହୋଇ ତିନି ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି ଏବଂ ଅନ୍ୟ କେତେ ଜଣ ଆହତ ହୋଇଛନ୍ତି। ଘଟଣା ପରେ ପରେ ଅନ୍ୟୂନ ଛଅରୁ ସାତ ଜଣ ବ୍ୟକ୍ତି ନିଖୋଜ ହୋଇଥିବା କୁହାଯାଉଛି।

ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ପରିଚୟ ମିଳିଥିବା ଜଣକ ହେଲେ ଋଷିକେଶ ବାସୀ ସୁଖଜିତ ଶର୍ମାଙ୍କ ପୁଅ ଲଳିତ ଶର୍ମା।

ଜିଲ୍ଲା ମୁଖ୍ୟାଳୟ ରୁଦ୍ରପ୍ରୟାଗ ଠାରୁ ପ୍ରାୟ ୬୦ କିଲୋମିଟର ଦୂର କେଦାରନାଥ ରାସ୍ତାର ଚଣ୍ଡୀକାଧାର ନିକଟରେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ପର୍ବତ ଉପରୁ ଖଣ୍ଡେ ପ୍ରକାଣ୍ଡ ପଥର ଓ ଭଙ୍ଗାରୁଜା ଅଂଶ ରାଜପଥ ଉପରକୁ ଗଡ଼ି ଗଡ଼ି ଆସିବାରୁ ଏ ଭଳି ଅଘଟଣ ଘଟିଛି। କ’ଣ ହେଲା ବୋଲି ଡ୍ରାଇଭର୍‌ମାନେ ଜାଣିବା ପୂର୍ବରୁ ଗାଡ଼ି ଉପରେ ପଥରଖଣ୍ଡ କଚାଡ଼ି ହୋଇ ପଡ଼ିଥିଲା।

Image Source: News 18

ପଥରମାଡ଼ ଯୋଗୁଁ ଗୋଟାଏ କାର୍‌ ୪୦୦ ମିଟର୍‌ ଗଭୀର ଖାଇ ମଧ୍ୟକୁ ଖସି ପଡ଼ିଛି। ଘଟଣା ସ୍ଥଳରେ ଦୁଇ ଜଣ ମଟରସାଇକେଲ୍‌ ଆରୋହୀଙ୍କ ସମତେ ଆହତ ହୋଇଥିବା ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନାକୁ ନିଆଯିବା ବାଟରେ ତୃତୀୟ ଆହତଙ୍କର ମୃତ୍ୟୁ ଘଟିଥିଲା। କାର୍‌ ମଧ୍ୟରେ ଥିବା ଲୋକମାନଙ୍କର ପତ୍ତା ମିଳୁ ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି।
ନିଖୋଜ ବ୍ୟକ୍ତିମାନଙ୍କର ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଅଛନ୍ତି।

ପଥର ମାଡ଼ରେ ଆଘାତ ହୋଇଥିବା ଅନ୍ୟ କେତେକ ଲୋକଙ୍କୁ ମଧ୍ୟ ନିକଟବର୍ତ୍ତୀ ଡାକ୍ତର ଖାନାକୁ ନିଆଯାଇଛି।

ସମ୍ବନ୍ଧିତ ଖବର