ହୋବାର୍ଟ: ଘରୋଇ ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆର ଅନ୍ୟ ଜଣେ ଅନ୍ତର୍ଜାତୀୟ ଖେଳାଳି ଗୁରୁତର ଆହତ ହୋଇଛନ୍ତି। ୨୦୧୪ ମସିହାରେ, ଶେଫିଲ୍ଡ ଶିଲ୍ଡ ଟୁର୍ନାମେଣ୍ଟରେ ଫିଲ୍ ହ୍ୟୁଜ୍ ବାଉନ୍ସରରେ ଆହତ ହେବା ପରେ ପ୍ରାଣ ହରାଇଥିଲେ। ଏବେ ୧୦ ବର୍ଷ ପରେ ସେହି ଟୁର୍ନାମେଣ୍ଟରେ ସେହିଭଳି ଆଉ ଏକ ସମାନ ଦୁର୍ଘଟଣା ଦେଖିବାକୁ ମିଳିଛି। ରବିବାର ଦିନ ଟାସମାନିଆ ବିପକ୍ଷ ଶେଫିଲ୍ଡ ସିଲ୍ଡ ମ୍ୟାଚରେ ଭିକ୍ଟୋରିଆ ପାଇଁ ଖେଳୁଥିବା ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ୱିଲ ପୁକୋଭସ୍କିଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଛି।
ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପୁକୋଭସ୍କିଙ୍କୁ ରି‌ଲେ ମେରଡିଥ ବାଉନ୍ସର ପକାଇଥିଲେ। ବାଉନ୍ସର ତାଙ୍କ ହେଲମେଟରେ ମାଡ଼ ହୋଇଥିଲା। ଫଳରେ କୌଣସି ରନ ନ କରି ସେ ପାଭିଲିୟନ ଫେରିଥିଲେ। ଏହା ମେରଡିଥଙ୍କ ଦ୍ୱିତୀୟ ବଲ ଥିଲା। ୨୬ ବର୍ଷୀୟ ପୁକୋଭସ୍କି ପୂର୍ବରୁ ମଧ୍ୟ ମୁଣ୍ଡରେ ଆଘାତ ଯୋଗୁ କିଛି ସମୟ ପାଇଁ ଚେତାଶୂନ୍ୟ ଅବସ୍ଥାର ଶିକାର ହୋଇସାରିଛନ୍ତି । ମେରଡିଥଙ୍କ ବାଉନ୍ସର ବଲ୍ ତାଙ୍କ ହେଲମେଟର ବାମ ପାର୍ଶ୍ୱରେ ମାଡ଼ ହୋଇଥିଲା।

Advertisment

ଆହତ ହେବା ପରେ ପୁକୋଭସ୍କି ଆଣ୍ଠୁମାଡି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଥିଲା। ଏହା ପରେ ସେ ପଡ଼ିଆ ଛାଡିଥିଲେ। ତାଙ୍କ ସ୍ଥାନରେ କ୍ୟାମ୍ପବେଲ କାଲାୱେଙ୍କୁ ଜଣେ ବଦଳ ଖେଳାଳି ଭାବରେ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। କ୍ରିକେଟ ଭିକ୍ଟୋରିଆର ମୁଖପାତ୍ର କହିଛନ୍ତି, ପୁକୋଭସ୍କି ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଆମେ ତାଙ୍କ ଅବସ୍ଥା ବିଷୟରେ ଉପଯୁକ୍ତ ସମୟରେ ସୂଚନା ଦେବାକୁ ଚେଷ୍ଟା କରିବୁ।

ଚଳିତ ବର୍ଷ ଜାନୁଆରୀରେ ପୁକୋଭସ୍କି ମଧ୍ୟ ମୁଣ୍ଡରେ ଆଘାତ ପାଇଥିଲେ। ଏଥିରୁ ସୁସ୍ଥ ହେବା ପରେ ସେ ଗତ ମାସରେ ସିଡନୀରେ ନ୍ୟୁ ସାଉଥ ୱେଲ୍ସ ବିପକ୍ଷ ମ୍ୟାଚରେ ୧୩୧ ରନ୍ ସ୍କୋର କରିଥିଲେ।