ନୂଆଦିଲ୍ଲୀ: ବିହାରରେ ବକ୍ସାର ଆସନରେ ଏଥର ନିର୍ବାଚନ ତୀବ୍ର ମୁକାବିଲାପୂର୍ଣ୍ଣ ରହିଛି। ବକ୍ସାର ଆସନରେ ୨ ପ୍ରମୁଖ ରାଜନୈତିକ ଗୋଷ୍ଠୀ ତଥା ଅଖିଳ ଭାରତୀୟ ପଛୁଆ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ କର୍ମଚାରୀ ସଂଘ (ବିଏଏମ୍‌ସିଇଏଫ୍‌) ଏବଂ ବିକେୟୁ (ଭାରତୀୟ କିଷାନ ୟୁନିଅନ୍‌) ବିରୋଧୀ ଇଣ୍ଡି ମେଣ୍ଟ ପ୍ରାର୍ଥୀକୁ ସମର୍ଥନ କରୁଛନ୍ତି। ୨୦୧୯ରେ ବିଜେପି ପ୍ରାର୍ଥୀ ଅଶ୍ବିନୀ କୁମାର ଚୌବେ ଉକ୍ତ ଆସନରେ ବିପୁଳ ଭୋଟ୍‌ରେ ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ଥର ବିଜେପିର ମିଥିଳେଶ କୁମାର ତିୱାରୀ (୫୫) ଇଣ୍ଡି ମେଣ୍ଟ ପ୍ରାର୍ଥୀ ସୁଧାକର ସିଂହଙ୍କଠାରୁ କଡ଼ା ଚ୍ୟାଲେଞ୍ଜ ସାମ୍ନା କରିଛନ୍ତି। ସୁଧାକର ସିଂହ ହେଉଛନ୍ତି ରାମଗଡ଼ ବିଧାନସଭା ଆସନରୁ ଜଣେ ଆରଜେଡି ବିଧାୟକ। ଶେଷ ଭାଗ ପ୍ରଚାରରେ ବିଏଏମସିଇଏଫ୍‌ ମୁଖ୍ୟ ୱମନ ମେଶରମ ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ବିଳାଦ ଖରାଟ ସୁଧାକର ସିଂହଙ୍କ ସପକ୍ଷରେ ବୈଠକ କରିଛନ୍ତି।

Advertisment

ଏଥିସହ ବିକେୟୁ ମୁଖ୍ୟ ରାକେଶ ଟିକାୟତ ମଧ୍ୟ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବିଳାସ ଖରାଟ କହିଛନ୍ତି, ଶାସକ ଦଳର ନେତାମାନେ ଦେଉଥିବା ଟିପ୍ପଣୀକୁ ଆମେ ପରଖୁଛୁ। ଆମେ ସୁଧାକର ସିଂହଙ୍କୁ ସମର୍ଥନ କରିବୁ କାରଣ ଅବହେଳିତ ଦଳିତ ଏବଂ ଆଦିବାସୀଙ୍କ ପାଇଁ ଆମେ ସମ୍ବିଧାନ ଏବଂ ସଂରକ୍ଷଣକୁ ସୁରକ୍ଷା ଦେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ବିଜେପି ମଧ୍ୟ ଏହାର ସମସ୍ତ ବରିଷ୍ଠ ନେତୃବୃନ୍ଦଙ୍କୁ ମିଥିଳେଶ କୁମାର ତିୱାରୀଙ୍କ ପାଇଁ ପ୍ରଚାର କାର୍ଯ୍ୟରେ ଲଗାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ବକ୍ସାର ଯାଇ ତିୱାରୀଙ୍କ ପାଇଁ ଭୋଟ୍‌ ମାଗିଥିଲେ। ମୋଦୀଙ୍କ ଲୋକପ୍ରିୟତା ସହ ବିଜେପି ରାମ ମନ୍ଦିର, ଜାତୀୟତାବାଦ ଏବଂ ଏଭଳି ଅନ୍ୟ ପ୍ରସଙ୍ଗକୁ ଆଧାର କରି ପ୍ରଚାର କରୁଛି। ଅନ୍ୟପକ୍ଷେ ବିରୋଧୀମାନେ ଦରବୃଦ୍ଧି ଏବଂ ଅଗ୍ନିବୀର ଯୋଜନା ଭଳି ପ୍ରସଙ୍ଗ ଉପରେ ଫୋକସ୍‌ କରିଛନ୍ତି। ଭୋଟିଂ ସମୟରେ ବକ୍ସାରର ଜାତି ସମୀକରଣ ମଧ୍ୟ ଏକ ଚ୍ୟାଲେଞ୍ଜ ହୋଇପାରେ। ଆସନ୍ତକାଲି ଏହି ଆସନରେ ମତଦାନ ହେବ।