ପଂଜାବ : ବୋରଓ୍ବେଲ ଗାତରେ ପଡ଼ି ୬ ବର୍ଷର ବାଳକ ଋତିକ ରୋଶନ ମୃତ

ହୋସିଆରପୁର : ପଂଜାବର ହୋସିଆରପୁରଠାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଋତିକ ରୋଶନ ନାମକ ଜଣେ ୬ ବର୍ଷର ବାଳକ ଏକ ବୋରଓ୍ବେଲ ଗାତରେ ଖସିପଡ଼ି ମୃତ୍ୟୁବରଣ କରିଛି । ତାକୁ ଉଦ୍ଧାର କରିବାକୁ ପ୍ରଶାସନର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି । ଏହି ଘଟଣାକୁ ନେଇ ସମଗ୍ର ପଂଜାବରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଭଗଓ୍ବାନ୍ତ ମାନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକର ପରିବାର ପାଇଁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଘଟଣାଟି ହୋସିଆରପୁର ଜିଲ୍ଲାର ବୈରାମପୁର ନିକଟସ୍ଥ ଖିଆଲା ବୁଲାନ୍ଦା ଗ୍ରାମରେ ଘଟିଛି । ଋତିକ ଏକ ପଡ଼ିଆରେ ଖେଳୁଥିବାବେଳେ ବୁଲା କୁକୁରମାନେ ଗୋଡ଼ାଇବାରୁ ଭୟରେ ପଳାଇଯାଉଥିବାବେଳେ ୩୦୦ ଫୁଟ ଗଭୀର ଏକ ବୋରଓ୍ବେଲ ଗାତରେ ଖସିପଡ଼ିଥିଲା । ଗାତର ମୁହଁରେ ଝୋଟ ବସ୍ତା ରଖାଯାଇଥିବାରୁ ସେ ଜାଣିନପାରି ଗାତରେ ଖସିପଡ଼ିଥିଲା ।

ଉକ୍ତ ବାଳକକୁ ଉଦ୍ଧାର କରିବାକୁ ପ୍ରଶାସନ ପକ୍ଷରୁ ଏନଡିଆରଏଫକୁ ନିୟୋଜିତ କରାଯାଇଥିଲା । ଏହା ସହିତ ପାଇପମାଧ୍ୟମରେ ଅମ୍ଳଜାନ ମଧ୍ୟ ତା ନିକଟକୁ ପଠାଯାଉଥିଲା । ମାତ୍ର ଏତେ ଉଦ୍ୟମ ସତ୍ତ୍ବେ ତାକୁ ଉଦ୍ଧାର କରାଯିବାବେଳକୁ ବିଳମ୍ବ ହୋଇଯାଇଥିଲା ।  ପରିସ୍ଥିତି ସହ ଲଢେଇ କରି ଆଖିବୁଜିଥିଲା ଉକ୍ତ ନିଷ୍ପାପ ବାଳକ । ଉଦ୍ଧାର ପରେ ତାକୁ ଡାକ୍ତରଖାନା ନିଆ।ଯାଇଥିଲେ ବି ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ପଂଜାବ କଂଗ୍ରେସ ସଭାପତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

 

ସମ୍ବନ୍ଧିତ ଖବର