ଫୋନ୍‌ ଚାର୍ଜ କରି ମୋବାଇଲରୁ ଗୀତ ଶୁଣିବା କାଳ ହେଲା: କାନରେ ଲାଗିଲା ବିଦ୍ୟୁତ୍‌ ସକ୍‌, ହସ୍ପିଟାଲ ନେବା ରାସ୍ତାରେ ପ୍ରାଣଗଲା

ଯମୁନାନଗର(ହରିୟାଣା): ମୋବାଇଲ ଚାର୍ଜର ଲଗାଇ ଇୟରଫୋନରେ ଗୀତ ଶୁଣୁଥିବା ବେଳେ ଜଣେ ଯୁବକଙ୍କ କାନରେ ବିଦ୍ୟୁତ୍‌ ସକ୍‌ ଲାଗି ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ହରିୟାଣାର ଠାଠ୍‌ ସିଂ ନିଜ ଘରେ ଫୋନ୍‌ ଚାର୍ଜ କରିବା ସହ କାନରେ ଇୟରଫୋନ ଦେଇ ଗୀତ ଶୁଣୁଥିଲେ । ଠିକ୍‌ ଏହି ସମୟରେ ତାଙ୍କ କାନକୁ ବିଦ୍ୟୁତ୍‌ କରେଣ୍ଟ ଆସି ଯାଇଥିଲା । କରେଣ୍ଟର ସଂସ୍ପର୍ଶରେ ଆସିବା ପରେ ସେ ଜୋରରେ ଚିତ୍କାର କରିବାରୁ ପରିବାର ଲୋକେ ଦୌଡ଼ି ଆସି ଠାଠ୍‌ ସିଂ ତଳେ ପଡ଼ିଥିବାର ଦେଖିଥିଲେ । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ଯିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

skandal24.si

ଏହି ଘଟଣାଟି ଘଟିଛି ହରିୟାଣାର ଯମୁନା ନଗରରେ । ମୃତକ ଠାଠ୍‌ ସିଂଙ୍କ ବାପାଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନ ସମୟରେ ଲାଇନ୍‌ ଆସିବାରୁ ମୋ ପୁଅ ଫୋନ୍‌ ଚାର୍ଜ କରିଥିଲା । ଚାର୍ଜ କରିବାର କିଛି ସମୟ ପରେ ସେ ଫୋନରେ ଇୟରଫୋନ ଲଗାଇ ଗୀତ ଶୁଣିବା ଆରମ୍ଭ କରିଥିଲା । ଠିକ୍‌ ସେହି ସମୟରେ ଗୋଟେ ମିନିଟ୍‌ ପାଇଁ ପୁଣି ଲାଇନ୍‌ ପଳାଇଲା । ଯେତେବେଳେ ଲାଇନ୍‌ ଆସିଲା ସେ ସମୟରେ ଠାଠ୍‌କୁ ଜୋରରେ କରେଣ୍ଟର ଝଟ୍‌କା ଲାଗିଥିଲା । ଠାଠ୍‌ଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ସରକାରୀ ଡ଼ାକ୍ତରଖାନାକୁ ନିଆଯାଇଥିଲା । ଠାଠ୍‌ଙ୍କ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଯମୁନାନଗର ପଠାଇ ଦିଆଯାଇଥିଲା । ଯମୁନାନଗର ଯାଉଥିବା ବେଳେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର