ମୁମ୍ବାଇ: ବିନା ନିମନ୍ତ୍ରଣରେ ଭୋଜି ଖାଇବାକୁ ଯିବା ପଡ଼ିଲା ଭାରୀ। ମାଡ଼ ଖାଇବା ସହ ଚୋରି ହେଲା ଯୁବକଙ୍କ ଗାଡ଼ି। ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପରେ ମାଡ଼ ଖାଇଥିବା ଯୁବକଜଣକ ପୁଲିସରେ ଏନେଇ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଜୁନ୍ ୧୩ରେ, ଗୋରେଗାଓଁର ବାସିନ୍ଦା ଜାଭେଦ୍ କୁରେଶି (୨୪) ତାଙ୍କର ୧୬ବର୍ଷର ସମ୍ପର୍କୀୟ ଭାଇ ଏବଂ କିଛି ସାଙ୍ଗଙ୍କ ସହ ବାହାରକୁ ବୁଲିବାକୁ ଯାଇଥିଲେ। ଯେତେବେଳେ ସେମାନେ ଯୋଗେଶ୍ୱରୀରେ ପହଞ୍ଚିଲେ, ସେତେବେଳେ ଜାଭେଦଙ୍କ ସମ୍ପର୍କୀୟ ତଥା ବନ୍ଧୁମାନେ ଏକ କମ୍ୟୁନିଟି ହଲରେ ଚାଲିଥିବା ବିବାହ ଭୋଜିକୁ ଯିବାକୁ ଇଚ୍ଛା ପ୍ରକାଶ କଲେ। ଏହା ପରେ ସମସ୍ତେ କମ୍ୟୁନିଟି ହଲକୁ ପ୍ରବେଶ କରି ଭୋଜି ଖାଇବା ଆରମ୍ଭ କରିଥିଲେ। ଏହି ସମୟରେ କନ୍ୟା ପକ୍ଷଙ୍କ ସନ୍ଦେହ ହେବାରୁ ସେମାନେ ଆସି ଜାଭେଦ ଓ ତାଙ୍କ ସହ ଥିବା ତାଙ୍କ ବନ୍ଧୁଙ୍କ ସହ କଥା ହୋଇଥିଲେ। ଏହା ପରେ ବିନା ନିମନ୍ତ୍ରଣରେ ଆସି ଯୁବକମାନେ ଖାଉଥିବା ଜାଣି କନ୍ୟା ପକ୍ଷ ସେମାନଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ମାଡ଼ ଖାଇବାରୁ ବର୍ତ୍ତିବା ପାଇଁ ଭାଜେଦ ଓ ତା’ ସହ ଥିବା ପିଲାମାନେ ବାହାରକୁ ଦୌଡ଼ି ଆସିଥିଲେ। ହେଲେ ବାହାରେ ଥିବା କିଛି ଲୋକ ତାଙ୍କୁ ପୁଣି କାବୁ କରିନେଇଥିଲେ। ଏହି ସମୟରେ ଜାଭେଦ ଜଣେ ଅଜଣା ଲୋକଙ୍କୁ ନିଜ ସ୍କୁଟରର ଚାବି ଦେଇ ଗାଡ଼ି ଆଣିବାକୁ କହିଥିଲେ। ହେଲେ ସେ ଗାଡ଼ି ଆଣିବା ପରିବର୍ତ୍ତେ ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଏବେ ଏହି ୨ଟି ଘଟଣା ପାଇଁ ଜାଭେଦ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି।