ନୂଆଦିଲ୍ଲୀ: ଅନେକ ଦିନ ହେବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ୫ବର୍ଷର ଶିଶୁ ପେଟରୁ ୫୦ରୁ ଅଧିକ ଚୁମ୍ବକୀୟ ବଲ ବାହାରିଥିବା ଘଟଣା ସାମ୍ନାକୁ ଆସିଛି। ଶିଶୁର ନାମ ଜୁଡ଼ ଫୋଲେ ବୋଲି ଜଣାପଡ଼ିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ବ୍ରିଟେନରେ ୫ବର୍ଷର ଶିଶୁ ଜୁଡ ଫୋଲେ ନିଜର ପରିବାର ସହିତ ବସବାସ କରନ୍ତି। ଖେଳୁଖେଳୁ ସେ ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ୫୨ଟି ଚୁମ୍ବକୀୟ ବଲକୁ ସେ ଗଳି ପକାଇଥିଲେ। ଗତ ଅଗଷ୍ଟ ମାସରୁ ତାଙ୍କ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ସେ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କର ପରୀକ୍ଷା ପରେ କିଛି ଅସୁବିଧା ନାହିଁ କହି ଘରକୁ ପଠାଇ ଦେଇଥିଲେ।
କିଛିଦିନ ପରେ ଏହି ଯନ୍ତ୍ରଣା ବଢ଼ି ଯାଇଥିଲା ଆଉ ଶିଶୁ ଜଣକ ଅସୁସ୍ଥ ହୋଇଯାଇଥିଲେ। ଏହାପରେ ଫୋଲେଙ୍କ ବାପା-ମା’ ଶିଶୁଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁ ପେଟର ଏକ୍ସ-ରେ ପାଇଁ କହିଥିଲେ। ଏହି ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶିଶୁ ପେଟରେ କିଛି ଚୁମ୍ବକୀୟ ବଲ ଥିବା ସେ ଜାଣିବାକୁ ପାଇଥିଲେ। ଏହାପରେ ସେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ରହିବାକୁ ଶିଶୁଙ୍କ ବାପା-ମା’ଙ୍କୁ କହିଥିଲେ।
ଅସ୍ତ୍ରୋପଚାର ପରେ ୫ବର୍ଷର ଶିଶୁ ପେଟରୁ ଗୋଟିଏ କି ଦୁଇଟି ନୁହେଁ ୫୦ରୁ ଅଧିକ ଚୁମ୍ବକୀୟ ବଲ ବାହାରିଥିବା ଫୋଲେକୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ। ତେବେ ଏହି ଅସ୍ତ୍ରୋପଚାର ଜଟିଳ ଥିଲା। କାରଣ ଏହି ବଲ ଶିଶୁର ଅନ୍ତନଳୀରେ ଫସି ଯାଇଥିଲା। ତେଣୁ ୪ଟି ସ୍ଥାନ କାଟିବା ପରେ ଡାକ୍ତର ସମସ୍ତ ଚୁମ୍ବକୀୟ ବଲକୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଏବେ ଶିଶୁ ବିପଦମୁକ୍ତ ରହିଛି।