ଗୁରୁଗ୍ରାମ: ଦେଶରେ ଅଧିକାଂଶ ଅଞ୍ଚଳରେ ଝଡ଼ ବର୍ଷା ଲାଗି ରହିଥିବା ବେଳେ ବର୍ଷା ହେଲେ ରାଜଧାନୀ ଦିଲ୍ଲୀର ଅବସ୍ଥା ବେହାଲ୍ ହୋଇ ପଡୁଛି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପାଣି ଜମି ଯାଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧାକୁ ସାମ୍ନା କରୁଛନ୍ତି। ପାଣି ଜମିଲେ ରାସ୍ତା ଘାଟ ଜଳମୟ ହେଉଛି। ଯେଉଁ କାରଣରୁ ଯାତ୍ରୀମାନେ ହିଁ ସବୁଠାରୁ ଅଧିକ ସମସ୍ୟା ଦେଇ ଗତି କରୁଛନ୍ତି। ଦିଲ୍ଳୀର ମେଟ୍ରୋ ଟ୍ରେନ୍ ଚଳାଚଳରୁ ନେଇ ଅନ୍ୟ ଗାଡ଼ିଗୁଡ଼ିକ ଚାଲିବାରେ ବାଧା ଉପୁଜୁଛି।
ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ପ୍ରବଳ ବର୍ଷା ହୋଇ ଚାରିଆଡ଼େ ପାଣି ଜମିଥିବା ବେଳେ ଗୁରୁଗ୍ରାମର ସୁଭାଷ ଚୌକରେ ପାଣି ଜମି ଏକ ନଦୀର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତାରେ ଲୋକେ ଗାଡ଼ି ମଟର ନେଇ ଯିବାର ତ ପ୍ରଶ୍ନ ଉଠୁନାହିଁ, ମାତ୍ର ଜଣେ ଯୁବକ ପହଁରି ପହଁରି ରାସ୍ତା ପାର୍ ହେଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଯୁବକ ଜଣଙ୍କର ସେହି ରାସ୍ତା ପାର୍ ହୋଇ ଯିବା ଜରୁରୀ ଥିବା ବେଳେ ତାଙ୍କ ନିକଟରେ ଅନ୍ୟ ବିକଳ୍ପ ବି ନଥିଲା। ଫଳରେ ଯୁବକ ଜଣକ ପାଣିରେ ପହଁରି ରାସ୍ତା ପାର୍ ହେବାର ଉପାୟ ଆପଣେଇଥିଲେ।
ଦିଲ୍ଲୀର ଅନେକ ସ୍ଥାନରେ ଏପରି ପରିସ୍ଥିତି ଘଟିଥିବା ବେଳେ ସୁଭାଷ ଚୌକରେ ଯାତାୟାତ ଏକଦମ୍ ବନ୍ଦ ହୋଇ ଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଦିଲ୍ଲୀରେ ଅଧିକାଂଶ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣି ଜମିଥିବା ରାସ୍ତା ପଟେ ନଯିବା ପାଇଁ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ଏକ ପରାମର୍ଶ ପତ୍ର ଜାରି କରାଯାଇଛି।