ଆମ୍ବେଦକରଙ୍କ ଚିନ୍ତାଧାରା ଓ ଆଦର୍ଶ ଅନେକଙ୍କୁ ସାମର୍ଥ୍ୟ ଦେଇ ଚାଲିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରବିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସମ୍ବିଧାନର ମୁଖ୍ୟ ସ୍ଥପତି ଭୀମରାଓ ରାମଜୀ ଆମ୍ବେଦକରଙ୍କ ୬୪ତମ ଶ୍ରାଦ୍ଧବାର୍ଷିକୀରେ ଅବସରରେ ତାଙ୍କୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ମଧ୍ୟ ଆମ୍ବେଦକରଙ୍କ ଚିନ୍ତାଧାରା ଓ ଆଦର୍ଶ ଅନେକଙ୍କୁ ସାମର୍ଥ୍ୟ ଦେଉଛି। ପ୍ରତିବର୍ଷ ଏହି ଦିନକୁ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଏ।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି, ମହାପରିନିର୍ବାଣ ଦିବସରେ ମହାନ୍‌ ଡକ୍ଟର ବାବାସାହେବ ଆମ୍ବେଦକରଙ୍କୁ ସ୍ମରଣ କରୁଛି। ତାଙ୍କର ଚିନ୍ତାଧାରା ଓ ଆଦର୍ଶ ନିୟୁତ ନିୟୁତ ଲୋକଙ୍କୁ ସାମର୍ଥ୍ୟ ପ୍ରଦାନ କରି ଚାଲିଛି। ଆମ ଦେଶ ପାଇଁ ସେ ଦେଖିଥିବା ସ୍ୱପ୍ନ ସାକାର କରିବାକୁ ଆମେ ପ୍ରତିବଦ୍ଧ।

Image Courtesy of India Today

ବୌଦ୍ଧଧର୍ମ ପରମ୍ପରାରେ ମହାପରିନିର୍ବାଣ ଶବ୍ଦର ଏକ ଗୂଢ଼ ଅର୍ଥ ରହିଛି। ଏହାର ଅର୍ଥ ଜନ୍ମ ଓ ମୃତ୍ୟୁର ବନ୍ଧନରୁ ଚିରକାଳ ପାଇଁ ମୁକ୍ତ ହେବା।
ସମାଜ ପ୍ରତି ଆମ୍ବେଦକରଙ୍କ ଅବଦାନ ଏବଂ ତାଙ୍କ କୃତିତ୍ୱ ଲାଗି ଡିସେମ୍ବର ୬ ତାରିଖକୁ ମହାପରିନିର୍ବାଣ ଦିବସ ଭାବେ ପାଳନ କରାଯାଏ। ୧୯୫୬ ମସିହା ଆଜିର ଦିନରେ ଆମ୍ବେଦକରଙ୍କ ଦେହାନ୍ତ ହୋଇଥିଲା।

ଆମ୍ବଦକରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଆଜିର ଦିନରେ ମୁମ୍ବାଇର ଚୈତ୍ୟ ଭୂମିରେ ଅନେକ ଜନସମାଗମ ହୁଏ। କିନ୍ତୁ, ଏ ବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଦାଦାରସ୍ଥିତ ଚୈତ୍ୟଭୂମିରେ ଜନ ଗହଳି ନ କରିବାକୁ ବୃହନ୍‌ମୁମ୍ବାଇ ମୁନିସ୍‌ପାଲ୍‌ କର୍ପୋରେସନ୍‌ ନିବେଦନ କରିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ମଧ୍ୟ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର