ନୂଆଦିଲ୍ଲୀ: ଜିନ୍ଜିଆଙ୍ଗ୍ ଏବଂ ତିବ୍ବତ ଅଞ୍ଚଳରେ ମୁତୟନ ହୋଇଥିବା ଚୀନ୍ର ‘ପିପୁଲସ୍ ଲିବରେସନ୍ ଆର୍ମି’ର କ୍ଷେପଣାସ୍ତ୍ରକୁ ମୁକାବିଲା କରିବ ଭାରତର ୫୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ବ୍ରହ୍ମୋସ୍ କ୍ରୁଜ୍ ମିସାଇଲ୍, ୮୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ନିର୍ଭୟ କ୍ରୁଜ୍ ମିସାଇଲ୍ ଓ ୪୦ କିଲୋମିଟର୍ ଦୂର ଆକାଶରେ ଲକ୍ଷ୍ୟଭେଦ କରୁଥିବା ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ଆକାଶ ମିସାଇଲ୍।
ଲଦାଖ ସଂଘର୍ଷ ପରେ ‘ପିପୁଲସ୍ ଲିବରେସନ୍ ଆର୍ମି’ର ୱେଷ୍ଟର୍ଣ୍ଣ ଥିଏଟର୍ କମାଣ୍ଡ୍ ତିବ୍ବତ ଏବଂ ଜିନ୍ଜିଆଙ୍ଗ୍ ଅଞ୍ଚଳରେ ୨୦୦୦ କିଲୋମିଟର୍ ଲକ୍ଷ୍ୟଭେଦୀ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରି ହେଉଥିବା ଦୂର ଲକ୍ଷ୍ୟଭେଦୀ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଯଦି ପରିସ୍ଥିତି ଅତ୍ୟନ୍ତ ଜଟିଳ ହୁଏ, ତେବେ ଭାରତ ମୁତୟନ କରିଥିବା ସୁପର୍ସୋନିକ୍ ବ୍ରହ୍ମୋସ, ସବ୍ସୋନିକ୍ ନିର୍ଭୟ ଏବଂ ଆକାଶ ଦ୍ବାରା ସେ ସବୁକୁ ମୁକାବିଲା କରିବ। ଚୀନ୍ର ଅସ୍ତ୍ରଶସ୍ତ୍ର ମୁତୟନ କେବଳ ଅଧିକୃତ ଅକ୍ସାଇ ଚୀନ୍ ମଧ୍ୟରେ ସୀମିତ ନୁହେଁ। ୩, ୪୮୮ କିଲୋମିଟର୍ ଦୀର୍ଘ ବାସ୍ତବ ନିୟନ୍ତ୍ରଣ ରେଖାର କାଶଗର୍, ହୋତାନ, ଲାସା ଏବଂ ନିଇଙ୍ଗ୍ଚି ଅଞ୍ଚଳରେ ମଧ୍ୟ ଚୀନ୍ ଅସ୍ତ୍ରଶସ୍ତ୍ର ମୁତୟନ କରିଛି।
/sambad/media/post_attachments/wp-content/uploads/2020/09/akash-missile.jpg)
ତିବ୍ବତ ଏବଂ ଜିନ୍ଜିଆଙ୍ଗ ବିମାନ ଘାଟି ଏବଂ ଭାରତ ମହାସାଗର ମଧ୍ୟସ୍ଥ ଯୁଦ୍ଧପୋତର ମୁକାବିଲା କରିବ ୩୦୦ କିଲୋଗ୍ରାମ ଓଜନର ୱାର୍ହେଡ୍ ବା ବିସ୍ଫୋରକ ଥିବା ଆକାଶରୁ ଆକାଶକୁ ଓ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର। ତେଣୁ ଲଦାଖ ସେକ୍ଟର୍ରେ ଯଥେଷ୍ଟ ସଂଖ୍ୟକ ବ୍ରହ୍ମୋସ କ୍ଷେପଣାସ୍ତ୍ର ମୁତୟନ କରାଯାଇଛି। ଆବଶ୍ୟକ ପଡ଼ିଲେ ସୁ-୩୦ ଏମ୍କେଆଇ ଲଢୁଆ ବିମାନରେ ଆହୁରି ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ର ଯୋଗାଇ ହେବ।
କିନ୍ତୁ, ସେଠାରେ ସୀମତ ସଂଖ୍ୟକ ନିର୍ଭୟ କ୍ଷେପଣାସ୍ତ୍ର ମୁତୟନ ହୋଇଛି। ଏହା ଭୂପୃଷ୍ଠ ଓ ସମୁଦ୍ରପୃଷ୍ଠ ଦେଇ ୧୦୦୦ କିଲୋମିଟର୍ ପର୍ଯ୍ୟନ୍ତ ଗତି କରି ପାରିବ। ଲକ୍ଷଭେଦ କରିବାକୁ ଏହା ଭୂପୃଷ୍ଠରୁ ୧୦୦ ରୁ ୪ କିଲୋମିଟର୍ ଉପରକୁ ଉଠି ସମାନ୍ତରଳ ଭାବେ ଗତି କରିପାରିବ।
ଭାରତୀୟ ସେନାର ତୃତୀୟ କ୍ଷେପଣାସ୍ତ୍ରଟି ହେଉଛି ଆକାଶ। ପିପୁଲ୍ସ ଲିବରେସନ୍ ଆର୍ମିର ବିମାନ ଆକ୍ରମଣ ପ୍ରତିହତ କରିବା ଲାଗି ଲଦାଖ ସେକ୍ଟର୍ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଏହାକୁ ଯଥେଷ୍ଟ ସଂଖ୍ୟାରେ ମୁତୟନ କରାଯାଇଛି। ଆକାଶ କ୍ଷେପଣାସ୍ତ୍ରର ବହୁମୁଖୀ ଥ୍ରିଡି ରାଡାର୍ ଏକସଙ୍ଗେ ୬୪ଟି ଲକ୍ଷ୍ୟସ୍ଥଳ ଉପରେ ଦୃଷ୍ଟି ଦେଇ ପାରିବ ଏବଂ ଥରକେ ୧୨ଟି ଲକ୍ଷ୍ୟସ୍ଥଳ ସହ ମୁକାବିଲା କରିପାରିବ।