ପାକିସ୍ତାନରେ ବ୍ରହ୍ମୋସ୍ ପଡ଼ିବା ଘଟଣା : ବହିଷ୍କାର ଆଦେଶକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କଲେ ଓ୍ବିଙ୍ଗ୍ କମାଣ୍ଡର ଅଭିନବ ଶର୍ମା

ନୂଆଦିଲ୍ଲୀ : ଗତ ବର୍ଷ ମାର୍ଚ୍ଚ ମାସରେ ଭୁଲରେ ଭାରତର ଏକ ବ୍ରହ୍ମସ କ୍ଷେପଣାସ୍ତ୍ର ପାକିସ୍ତାନରେ ପଡ଼ିଥିଲା । ଏହି ଘଟଣାରେ ବାୟୁସେନାରୁ ବହିଷ୍କୃତ ଓ୍ବିଙ୍ଗ କମାଣ୍ଡର ଅଭିନବ ଶର୍ମା ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ତାଙ୍କ ବହିଷ୍କାର ଭୁଲ ଓ ବିଚାର ବେଳେ ତାଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନଥିଲା ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ସେ ସେତେବେଳେ ଜଣେ ଇଂଜିନିୟରିଂ ଅଫିସର ଭାବେ ଦାୟିତ୍ବରେ ଥିଲେ ଓ କେବଳ ତାଲିମ ପ୍ରଦାନ କରୁଥିଲେ ।

ସୂଚନାଯୋଗ୍ୟ ଯେ ଗତ ବର୍ଷ  ମାର୍ଚ୍ଚ ମାସ ୯ ତାରିଖରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ ହୋଇ ସୀମା ପାର କରିବା ସହ ପାକିସ୍ତାନର ଏକ ଅଞ୍ଚଳରେ ପଡ଼ିଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିଲେ । ଭାରତ ଏଥିପାଇଁ  ଦୁଃଖ ପ୍ରକାଶ କରିବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଘୋଷଣା କରିଥିଲା । ସରକାରଙ୍କ ନିର୍ଦ୍ଦେଶକ୍ରମେ  ବାୟୁସେନା ପକ୍ଷରୁ ତୁରନ୍ତ ଏକ କୋର୍ଟ ଅଫ୍ ଇନକ୍ବାରୀ ଗଠନ କରାଯାଇଥିଲା ।

ତଦନ୍ତ ପରେ ଗତ ବର୍ଷ ଅଗଷ୍ଟମାସରେ ୩ ଜଣ ବାୟୁସେନା ଅଧିକାରୀଙ୍କୁ ଏହି ଘଟଣାପାଇଁ ଦାୟୀ କରାଯିବା ସହ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ବାୟୁସେନା ପକ୍ଷରୁ କୁହାଯାଇଥିଲା ଯେ ଏହି ଅଧିକାରୀମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର (ଏସଓପି) ପାଳନ କରି ନଥିବାରୁ କ୍ଷେପଣାସ୍ତ୍ର ଦିଗ ବଦଳାଇ ପାକିସ୍ତାନରେ ପ୍ରବେଶ କରିଥିଲା ।

ସମ୍ବନ୍ଧିତ ଖବର