ସେନାକୁ ମିଳିଲା ‘ବଜ୍ର’ ଏବଂ ‘ହୋଇଜର୍‌’

ନୂଆଦିଲ୍ଲୀ: ବୋଫର୍ସ ତୋପ ଭାରତୀୟ ସେନାରେ ସାମିଲ ହେବାର ଦୀର୍ଘ ୩୦ ବର୍ଷ ପରେ ଏବେ ସେନାକୁ ଆଉ ୨ଟି ଶ୍ରେଣୀର ଅତ୍ୟାଧୁନିକ ତୋପ ଉପଲବ୍ଧ ହୋଇଛି। ଆଜି ନାସିକ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ କେ-୯ ବଜ୍ର ଏବଂ ଏମ୍‌୭୭୭-ହୋଇଜର୍‌ ତୋପ ସେନାରେ ସାମିଲ ହୋଇଛି। ଏହାଦ୍ବାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଛି। ପାକିସ୍ତାନ ଏବଂ ଚୀନ୍‌ ସୀମାରେ ବିପଦ ବଢ଼ୁଥିବାରୁ ଏଭଳି ତୋପ ଅତ୍ୟନ୍ତ ଜରୁରୀ ଥିଲା। କାର୍ଗିଲ ଯୁଦ୍ଧ ସମୟରେ ଅନେକ ଉଚ୍ଚରେ ରହିଥିବା ଶତ୍ରୁକୁ ନିପାତ କରିବା ପାଇଁ ଶକ୍ତିଶାଳୀ ତୋପ ଆବଶ୍ୟକ ହେଉଥିଲା, କିନ୍ତୁ ସେତେବେଳେ ଭାରତ ପାଖରେ ହୋଇଜର୍‌ ଭଳି ତୋପ ନଥିଲା। ଉଭୟ ବଜ୍ର ଏବଂ ହୋଇଜର୍‌ ତୋପକୁ ସହଜରେ ଯେ କୌଣସି ଦୁର୍ଗମ ସ୍ଥାନକୁ ନିଆଯାଇପାରିବ ଏବଂ ଏଗୁଡ଼ିକର ରେଂଜ ୨୮ରୁ ୩୮ କିଲୋମିଟର ମଧ୍ୟରେ ରହିଛି। ମାତ୍ର ୩୦ ସେକେଣ୍ଡରେ ୩ ଥର ଗୋଳା ଛାଡ଼ିବାରେ ଏହି ତୋପ ସକ୍ଷମ। ୩ ମିନିଟ୍‌ରେ ଏହା ୧୫ ଥର ଆକ୍ରମଣ କରିପାରିବ। ୪୦ଟି କେ-୯ ବଜ୍ର ତୋପ ନଭେମ୍ବର ୨୦୧୯ରେ ଏବଂ ଅନ୍ୟ ୫୦ଟି ତୋପ ନଭେମ୍ବର ୨୦୨୦ ସୁଦ୍ଧା ସେନାକୁ ମିଳିବ। କେ-୯ ବଜ୍ରର ପ୍ରଥମ ରେଜିମେଣ୍ଟ ୨୦୧୯ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର