ଚେନ୍ନାଇ: ହିନ୍ଦୁ ଧର୍ମର ମହାନ ଗୁରୁ କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ଆଜି ବ୍ରହ୍ମଲୀନ ହୋଇଛନ୍ତି। ଦେହାନ୍ତ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା। ସ୍ୱାମୀ ଜୟେନ୍ଦ୍ର ସରସ୍ୱତୀଙ୍କ ପରେ ତାଙ୍କ ଅନୁଗତ ବିଜୟେନ୍ଦ୍ର ସରସ୍ୱତୀ ଏହି ପୀଠର ସମସ୍ତ ଦାୟିତ୍ୱ ତୁଲାଇବେ। ମଠର ସୂଚନା ମୁତାବକ,ବେଦରେ ବର୍ଣ୍ଣିତ ‘ବୃନ୍ଦାବନ ପ୍ରବେଶମ୍’ କାର୍ଯ୍ୟକ୍ରମ ଆଧାରରେ ଆସନ୍ତାକାଲି ଜୟେନ୍ଦ୍ର ସରସ୍ୱତୀଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଶଙ୍କରାଚାର୍ଯ୍ୟଙ୍କ ପରଲୋକରେ ଦେଶବ୍ୟାପୀ ହିନ୍ଦୁ ସଂଗଠନଗୁଡ଼ିକ ଶୋକବ୍ୟକ୍ତ କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ୱାସପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିବାରୁ ଆଜି ସକାଳୁ ଶଙ୍କରାଚାର୍ଯ୍ୟଙ୍କୁ ମଠ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦ୍ଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି। ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଦେଶର ୫ଟି ପୀଠ ମଧ୍ୟରୁ ଦକ୍ଷିଣରେ ଥିବା କାଞ୍ଚି ପୀଠର ମୁଖ୍ୟ ହେଉଛନ୍ତି ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର। ୧୯୫୪ ମସିହାରୁ ଏହି ପୀଠର ସର୍ବେସର୍ବା ହୋଇଥିବା ଶଙ୍କରାଚାର୍ଯ୍ୟ ବହୁ ସମ୍ମାନର ଅଧିକାରୀ। ମାତ୍ର ୧୯ ବର୍ଷ ବୟସରୁ ସନ୍ନ୍ୟାସ ନେଇଥିବା ଜୟେନ୍ଦ୍ର ସରସ୍ୱତୀ ଅଯୋଧ୍ୟା ମାମଲାର ସମାଧାନ ପାଇଁ ମଧ୍ୟ ମଧ୍ୟସ୍ଥତା କରିଥିଲେ। ୧୯୩୫ ମସିହାରେ ସୁବ୍ରମଣ୍ୟା ମହାଦେବା ଆୟର ଭାବେ ଜନ୍ମଗ୍ରହଣ କରିଥିବା ଜୟେନ୍ଦ୍ର ସରସ୍ୱତୀ ୧୯୫୪ ମସିହାରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଚନ୍ଦ୍ରଶେଖର ସରସ୍ୱତୀଙ୍କ ଦେହାନ୍ତ ପରେ ଏହି ପୀଠର ଦାୟିତ୍ୱଭାର ଗ୍ରହଣ କରିଥିଲେ। ୨୦୦୩ ନଭେମ୍ବର ୧୧ ତାରିଖରେ କାଞ୍ଚପୁରମ୍ ପେରୁମାଳା ମନ୍ଦିର ମ୍ୟାନେଜର ଶଙ୍କର ରମଣଙ୍କ ହତ୍ୟା ଘଟଣାରେ ଜୟେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ୨ମାସ ଜେଲରେ ରହିବା ପରେ ସେ ଜାମିନ୍ରେ ଆସିଥିଲେ। ୨୦୧୩ ମସିହାରେ ଅଦାଲତ ତାଙ୍କୁ ସଂପୂର୍ଣ୍ଣ ଦୋଷମୁକ୍ତ କରିଥିଲେ।
ବ୍ରହ୍ମଲୀନ ହେଲେ କାଞ୍ଚି ପୀଠ ଶଙ୍କରାଚାର୍ଯ୍ୟ
/sambad/media/post_attachments/wp-content/uploads/2018/02/5-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)