‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତ ଆଜି ବିଶ୍ୱର ସବୁଠୁ ଦ୍ରୁତଗାମୀ କ୍ଷେପଣାସ୍ତ୍ରର ମାନ୍ୟତା ରଖିଥିବା ‘ବ୍ରହ୍ମୋସ’ର ଉଡ଼ନ୍ତା ପରୀକ୍ଷଣ ସଫଳତାର ସହ ସଂପନ୍ନ କରିଛି। ରାଜସ୍ଥାନର ପୋଖରାନ୍‌ ପରୀକ୍ଷଣ ପରିସରରେ ଆଜି ସକାଳ ୮ଟା ୪୨ରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଉଡ଼ନ୍ତା ଠାବକାରୀ ଯନ୍ତ୍ର(ସିକର)ରେ ଖଞ୍ଜାଯାଇଥିବା ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ଉତ୍‌କ୍ଷେପଣ କରିଥିଲା। ଏହାର ନିର୍ଦ୍ଧାରିତ ଗତିପଥରେ ଉଡ଼ିବା ସହ ନିର୍ଭୁଲ୍‌ ଭାବେ ଲକ୍ଷ୍ୟସ୍ଥଳରେ ଭେଦ କରି ଆଶାନୁରୂପ ସଫଳତା ଦେଇଥିଲା। ଭାରତୀୟ ନୌସେନା ବାହିନୀର ପ୍ରମୁଖ ସୁଖୋଇ-୩୦ ଏମ୍‌କେଆଇ ଯୁଦ୍ଧ ଜାହାଜରୁ ପ୍ରଥମେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହେବାର ଠିକ୍‌ ତିନି ମାସ ପରେ ଆଜି ଆକାଶ ମାର୍ଗରୁ ପ୍ରଥମଥର ପାଇଁ ଏହି କ୍ଷେପଣାସ୍ତ୍ରର ଏପରି ଉଡ଼ନ୍ତା ପରୀକ୍ଷା ସଫଳ ହେବା ଘଟଣା ଭାରତୀୟ ସେନାକୁ ଉତ୍ସାହିତ କରିଛି। ଶବ୍ଦଠାରୁ ତିନିଗୁଣା କ୍ଷିପ୍ର ଗତିରେ ଗତିକରିବାର କ୍ଷମତା ରଖିଥିବା ‘ବ୍ରହ୍ମୋସ’ ଆଣିଥିବା ଆଜିର ସଫଳତା ଦେଶର ସୁରକ୍ଷାକୁ ଅଧିକ ଦୃଢ଼ୀଭୂତ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏଥିପାଇଁ ସେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନଡିଆରଡିଓ (ଡିଆର୍‌ଡିଓ)କୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ଥାଉ କି, ଭାରତୀୟ ବାୟୁସେନା ପାଇଁ ଏହି ଭାରୀ ଯୁଦ୍ଧାସ୍ତ୍ର ‘ବ୍ରହ୍ମୋସ’କୁ ସୁଖୋଇ-୩୦ ଯୁଦ୍ଧ ବିମାନରେ ଖଞ୍ଜାଯିବ। ଏପରିକି ୪୦ଟି ସୁଖୋଇ ଯୁଦ୍ଧ ବିମାନରେ ଏହାକୁ ଖଞ୍ଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହା ଭାରତୀୟ ବାୟୁ ସେନାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ କରିବା ସହ ସେନାର ସବୁଠୁ ଟାଣୁଆ ଯୁଦ୍ଧାସ୍ତ୍ର ଭାବେ ପରିଗଣିତ ହେବ। ଏହାଦ୍ୱାରା ଭାରତର ବ୍ୟହବହୁଳ ପ୍ରତିରକ୍ଷା ଆମଦାନି ମଧ୍ୟ ଯଥେଷ୍ଟ କମିଯିବ। ଡିଆର୍‌ଡିଓର ପରୀକ୍ଷାଗାର ଏବଂ ହାଇଦ୍ରାବାଦ୍‌ ସ୍ଥିତ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ)ର ମିଳିତ ସହଯୋଗରେ ବିକଶିତ ହୋଇଥିବା ଉକ୍ତ ସିକର ଜ୍ଞାନକୌଶଳ ପ୍ରଣାଳୀ ଭାରତ ପାଇଁ ଏକ ମାଇଲଖୁଣ୍ଟ ସଦୃଶ। ପୂର୍ବରୁ ଏହି ପ୍ରଣାଳୀ ରୁଷ୍‌ରୁ ଆମଦାନି ହେଉଥିବା ବେଳେ ଏଣିକି ଭାରତ ନିଜେ ପ୍ରସ୍ତୁତ କରିପାରିବା ସହ ଆବଶ୍ୟକ ଅନୁଯାୟୀ ଏଥିରେ ପରିବର୍ତ୍ତନ ମଧ୍ୟ ଆଣିପାରିବ।

ସମ୍ବନ୍ଧିତ ଖବର