ବ୍ରାଣ୍ଡ୍‌ ମୋଦୀ ଚମକିଲା

Oଏନ୍‌ଡିଏର ଐତିହାସିକ ବିଜୟ O ଜିଏସ୍‌ଟି, ବିମୁଦ୍ରୀକରଣ, କର୍ମନିଯୁକ୍ତି ପ୍ରସଙ୍ଗ ନିଷ୍ପ୍ରଭ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଫଳାଫଳ ଏଥର ଦେଶରେ ଜାତି, ଧର୍ମ ଏବଂ ମେଣ୍ଟ ରାଜନୀତିକୁ ପଛକୁ ଠେଲି ଦେଇଛି। ‘ବ୍ରାଣ୍ଡ୍‌ ମୋଦୀ’ ସହିତ ରାଷ୍ଟ୍ରବାଦ ମିଶିଯିବା ପରେ ବିରୋଧୀ ଦଳମାନଙ୍କ ସବୁ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବ ଆଗରେ ବିରୋଧୀ ଦଳମାନଙ୍କର ସବୁ ଉଦ୍ୟମ, ସବୁ ସମୀକରଣ ଧରାଶାୟୀ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥର ରାଷ୍ଟ୍ରବାଦ ଏବଂ ଦେଶର ସୁରକ୍ଷା ପ୍ରସଙ୍ଗକୁ ବିଜେପି ପ୍ରଚାରର ମୁଖ୍ୟ ଅସ୍ତ୍ର କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରବାଦ ପ୍ରସଙ୍ଗ ଉଠାଇ ବିରୋଧୀ ଦଳମାନଙ୍କୁ ଆଭିମୁଖ୍ୟ ଉପରେ କଡ଼ା ପ୍ରହାର କରିଥିବା ବେଳେ ଜନସାଧାରଣ ଏଥିରେ ମୋଦୀଙ୍କ ସହିତ ସ୍ବର ମିଳାଇଥିଲେ। ଫଳରେ ବିଜେପି ୨୦୧୪ ନିର୍ବାଚନର ସଫଳତାଠାରୁ ଆହୁରି ଆଗକୁ ଯିବାରେ ସକ୍ଷମ ହେଲା। ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ଦ୍ବାରା ପାକିସ୍ତାନର ବାଲାକୋଟ ସ୍ଥିତ ଆତଙ୍କବାଦୀ ଶିବିର ଉପରେ ପ୍ରଚଣ୍ଡ ଆକ୍ରମଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିଥିଲା। ଭାରତୀୟ ବାୟୁସେନା ଯେଭଳି ଭାବେ ପାକିସ୍ତାନରେ ପଶି କାର୍ଯ୍ୟାନୁଷ୍ଠାନ କଲା ତାହା ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନର ଏକ ସଫଳ ଉଦାହରଣ ଭାବେ ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏହାପରେ ପାକିସ୍ତାନ ବନ୍ଦୀ କରିନେଇଥିବା ଭାରତୀୟ ବାୟୁସେନାର ପାଇଲଟ୍‌ ଅଭିନନ୍ଦନ ବର୍ତମାନଙ୍କୁ ମୁକ୍ତ କରିବା ପାଇଁ ମୋଦୀ ସରକାରଙ୍କ ପ୍ରୟାସ ଶତ ପ୍ରତିଶତ ସଫଳ ହୋଇଥିଲା ଏବଂ ପାକିସ୍ତାନ ଅଭିନନ୍ଦନଙ୍କୁ ସୁରକ୍ଷିତ ଭାରତ ଫେରାଇବାକୁ ବାଧ୍ୟ ହୋଇଛି। ଏହି ଘଟଣା ମୋଦୀଙ୍କ ସଫଳ କୂଟନୀତିର ପରିଚୟ ଦେଇଥିବା ବେଳେ ଭାରତର ଶକ୍ତିକୁ ପ୍ରଦର୍ଶିତ କରିଥିଲା।
ଏଥର ନିର୍ବାଚନ ଜିଏସ୍‌ଟି, ବିମୁଦ୍ରୀକରଣ ଏବଂ କର୍ମନିଯୁକ୍ତି ପ୍ରସଙ୍ଗକୁ ବିରୋଧୀ ଦଳମାନେ ଉଠାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ରାଷ୍ଟ୍ରବାଦ ଏବଂ ବ୍ରାଣ୍ଡ ମୋଦୀ ଆଗରେ ଏହି ପ୍ରସଙ୍ଗ ନିଷ୍ପ୍ରଭ ହୋଇଗଲା। କୃଷକଙ୍କ ସମସ୍ୟା ଉଠାଇବାରେ ମଧ୍ୟ ବିରୋଧୀ ଦଳମାନେ ବିଫଳ ହୋଇଥିଲେ। ବିମୁଦ୍ରୀକରଣଜନିତ ସଙ୍କଟରେ ପୂରା ଦେଶ ପ୍ରଭାବିତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କର ଏହି ବିବାଦୀୟ ନିଷ୍ପତ୍ତି ବିରୋଧରେ ଯେଭଳି ଜନମତ ସୃଷ୍ଟି କରିବା ପାଇଁ ବିରୋଧୀ ଦଳ ପ୍ରୟାସ କରିଥିଲେ ତାହା ସଫଳ ହୋଇନଥିଲା। ଅନ୍ୟପକ୍ଷରେ କୃଷକଙ୍କ ସମସ୍ୟା ନେଇ ବିଜେପି କଂଗ୍ରେସ ସରକାରର ପୂର୍ବ ନୀତିକୁ ଦାୟୀ କରି ଏହାକୁ ଘେରିବା ପରେ କଂଗ୍ରେସ ଏହାର ମୁକାବିଲା କରିବାରେ ସକ୍ଷମ ହୋଇନଥିଲା। ବିରୋଧୀ ଦଳମାନଙ୍କ ପାଖରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେବାପାଇଁ କୌଣସି ନେତା ନଥିବା ବିଜେପି ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କ ସମ୍ମୁଖରେ ଦୁର୍ବଳ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ନେତା ଭାବେ ଗ୍ରହଣ କରିବା ପାଇଁ ଅନ୍ୟ ବିରୋଧୀ ଦଳ ନେତାମାନେ ମଧ୍ୟ ପ୍ରସ୍ତୁତ ନଥିଲେ।

ଭାରତର ବିଜୟ: ମୋଦୀ
ନୂଆଦିଲ୍ଲୀ: ନିର୍ବାଚନରେ ଦଳର ବିଜୟ ଉତ୍ସବକୁ ଆଜି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସଭାପତି ଅମିତ ଶାହ ଦଳର ମୁଖ୍ୟ କାର୍ଯ୍ୟାଳୟରେ ସଂଧ୍ୟା ପ୍ରାୟ ୭ଟା ୧୫ ମିନିଟରେ ପହଞ୍ଚିଥିଲେ। ସେଠାରେ ଦଳୀୟ କର୍ମୀଙ୍କୁ ଉଭୟ ନେତା ବିଜୟର ଚିହ୍ନ ଦେଖାଇ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ‌ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଆଜିର ବିଜୟ ଉତ୍ସବ ସବୁ ଦୃଷ୍ଟିରୁ ଐତିହାସିକ। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆମେ ଲୋକମାନଙ୍କ ପାଖକୁ ଭୋଟ ଭିକ୍ଷା କରିବାକୁ ଯାଇଥିଲୁ। ଆଜି ‌ଆମେ ଦେଖୁଛୁ ଯେ ଦେଶର କୋଟି କୋଟି ନାଗରିକ ଆମର ଭିକ୍ଷା ଥାଳକୁ ଭୋଟରେ ପୂରା କରିଦେଇଛନ୍ତି। ମତଦାନର ଏହି ଯେଉଁ ସଂଖ୍ୟା ସାମ୍ନାକୁ ଆସିଛି ତାହା ହେଉଛି ବିଶ୍ବର ଗଣତାନ୍ତ୍ରିକ ଇତିହାସରେ ସବୁଠୁ ବଡ଼ ଘଟଣା। ଦେଶ ସ୍ବାଧୀନ ହେବା ପରେ ଅନେକ ନିର୍ବାଚନ ହୋଇଯାଇଛି। କିନ୍ତୁ ଏହି ନିର୍ବାଚନରେ ସର୍ବାଧିକ ଭୋଟଦାନ ହୋଇଛି। ଏହି ଅବସରରେ ଗଣତନ୍ତ୍ର ପାଇଁ ବଳିଦାନ ଦେଇଥିବା ଓ ଆଘାତପ୍ରାପ୍ତ ହୋଇଥିବା ସବୁ ‌ବ୍ୟକ୍ତି ଓ ସେମାନଙ୍କ ପରିବାରକୁ ସମ୍ବେଦନଶୀଳତା ଜଣାଉଛି। ନିର୍ବାଚନ ପୂର୍ବରୁ ମୁଁ କହିଥିଲି ଯେ, ଏହି ନିର୍ବାଚନ କୌଣସି ଦଳ, ପ୍ରାର୍ଥୀ କିମ୍ବା ନେତାଙ୍କ ଲଢ଼େଇ ନୁହେଁ। ଏହି ନିର୍ବାଚନକୁ ଦେଶର ଜନତା ଲଢ଼ୁଛନ୍ତି। ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣଙ୍କୁ କେଉଁ ପକ୍ଷରୁ ସମର୍ଥକ ବୋଲି ପ୍ରଶ୍ନ କରାଯାଇଥିଲା। ସେ ଯେଉଁ ଉତ୍ତର ଦେଇଥିଲେ ଦେଶର ଜନତା ‌ଆଜି ସେହି ଉତ୍ତରକୁ ଦୋହରାଇଛନ୍ତି। ଶ୍ରୀକୃଷ୍ଣ ସେତେବେଳେ କହିଥିଲେ ମୁଁ କୌଣସି ପକ୍ଷରେ ନଥିଲି। ହସ୍ତିନାପୁର ସହିତ ଠିଆ ହୋଇଥିଲି। ଆଜି ଭାରତର ୧୩୦ କୋଟି ନାଗରିକ ଭାରତ ସହିତ ଠିଆ ହୋଇଛନ୍ତି। ଏହି ବିଜୟ ‌ହିନ୍ଦୁସ୍ତାନର ଓ ଗଣତନ୍ତ୍ରର ବିଜୟ। ଏହି ବିଜୟକୁ ମୁଁ ଦେଶବାସୀ, ଦଳର କର୍ମକର୍ତା ଓ ଏନଡିଏ ସହଯୋଗୀଙ୍କ ନିକଟରେ ବିନମ୍ରତାର ସହ ସମର୍ପିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀଙ୍କ ନେତୃତ୍ବରେ ବଡ଼ ବିଜୟ ମିଳିଛି: ଶାହ
ଏହି ବିଜୟ ଅନେକ ଦୃଷ୍ଟିକୋଣରୁ ଐତିହାସିକ। ୫୦ ବର୍ଷ ପରେ ପ୍ରଥମ ଥର ପାଇଁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ଶାସନ କରିବା ପାଇଁ ‌ଯେଉଁ ପ୍ରଧାନମନ୍ତ୍ରୀଙ୍କୁ ସୁଯୋଗ ମିଳିଥିଲା ସେ ଏବେ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଆମର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦୀ। ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଓ ଉତ୍ତର ପ୍ରଦେଶ ସମେତ ୧୭ଟି ରାଜ୍ୟରେ ବିଜେପିକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି। ଦେଶ ସ୍ବାଧୀନତା ପରେ ସବୁଠୁ ବଡ଼ ଐତିହାସିକ ବିଜୟ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପିକୁ ମିଳିଛି। ଏହା ଦେଶର ଜନତାଙ୍କ ବିଜୟ ଏବଂ ଏହା ଆମର ସବ୍‌କା ସାଥ୍‌, ସବ୍‌କା ବିକାଶ ନୀତିର ବିଜୟ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର